ଲକ୍‌ ଡାଉନ୍‌ ସତ୍ତ୍ୱେ ଚାଲିଛି ଦେଶୀ ମଦ ବ୍ୟବସାୟ: ବଡମାଲ ଥାନାରେ ୧୫ ମାମଲା ରୁଜୁ, ୨୧ ଗିରଫ

ଝାରସୁଗୁଡା ଅଫିସ,୨୭ା୪- କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ସମଗ୍ର ଦେଶକୁ ଲକ୍‌ ଡାଉନ କରାଯାଇଛି। ଏହି ଲକଡାଉନ ସମୟରେ ବିଷେଶ କରି ମଦ ଦୋକାନ ଓ ଦେଶୀ ମଦ ଭାଟିଗୁଡିକୁ ବନ୍ଦ କରି ରଖିବା ପାଇଁ ନିର୍ଦ୍ଦେଶ ରହିଛି। ତେବେ ଝାରସୁଗୁଡା ଜିଲାର ବିଭିନ୍ନ ଥାନା ଅପେକ୍ଷା ବଡମାଲ ଥାନା ଅଞ୍ଚଳରେ ବହୁ ପରିମାଣରେ ବେଆଇନ ଦେଶୀ ମଦ କାରବାର ହେଉଛି। ପଡୋଶୀ ଜିଲା ସମ୍ବଲପୁର ଅଞ୍ଚଳରୁ ଏହି ମଦ ଏଠାକୁ ଆସୁଥିବା ଜଣାପଡିଛି। ସୂଚନା ମୁତାବକ ଏହି ଲକଡାଉନ ସମୟରେ ତଥା ଏପ୍ରିଲ ପହିଲାରୁ ଅଦ୍ୟାବଧି କେବଳ ବଡମାଲ ଥାନା ଅଧୀନରେ ୧୫ଟି ମାମଲା ରୁଜୁ ହୋଇଛି। ୨୧ ଜଣ ଗିରଫ ହୋଇ ସାରିଛନ୍ତି। ସେମାନଙ୍କଠାରୁ ପ୍ରାୟ ୩ ଶହ ଲିଟର ଦେଶୀ ମଦ ଜବତ ହୋଇଛି। ୧୦ଟି ମୋଟରସାଇକଲ ମଧ୍ୟ ଜବତ କରିଛି ପୋଲିସ। ତେବେ ତଦନ୍ତ ବେଳେ ସମ୍ବଲପୁର ଜିଲା ରେଙ୍ଗାଲି ଅଞ୍ଚଳରୁ ଏହି ମଦ ଚାଳାଣ ହୋଇ ଆସୁଥିବା ପୋଲିସ ଜାଣିବାକୁ ପାଇଛି। ବିଶେଶ କରି ରାତି ସମୟରେ ମୋଟର ସାଇକଲ ଯୋଗେ ଏହି ମଦ ଚାଳାଣ କରାଯାଉଛି। ଅନ୍ୟପକ୍ଷରେ ବର୍ତ୍ତମାନ ଲକଡାଉନ ଚାଳିଥିବାରୁ ବିଭିନ୍ନ ଗ୍ରାମରେ ସ୍ଥାନୀୟ ଲୋକେ ନିଜ ଗ୍ରାମ ସୀମାରେ ବଡ ବଡ ପଥର କିମ୍ବା ଗଛ ପକାଇ ରାସ୍ତା ଅବରୋଧ କରିଛନ୍ତି। ଗାଁକୁ କୌଣସି ବାହାର ଲୋକଙ୍କୁ ଆସିବାକୁ ଦେଉନାହାନ୍ତି। ଏପରିକି ପୋଲିସ କିମ୍ବା ଆମ୍ବୁଲାନ୍ସକୁ ମଧ୍ୟ ଆସିବାକୁ ଦେଉ ନ ଥିବା ନଜିର ରହିଛି। ତେବେ ଏହି ପରିସ୍ଥିତିର ଫାଇଦା ଉଠାଇ ବେଧଡକ ଭାବେ ଗ୍ରାମ ମଧ୍ୟରେ ବେଆଇନ ଭାବେ ମଦ ବ୍ୟବସାୟ ଚାଲିଛି। ପୋଲିସ ଗ୍ରାମ ମଧ୍ୟକୁ ଯାଇପାରୁ ନ ଥିବାରୁ ମଦ ବ୍ୟବସାୟୀମାନେ ବେଧଡକ ଭାବେ ବେପାର କରୁଛନ୍ତି। ସ୍ଥାନୀୟ ଅଞ୍ଚଳର ମଦ ଭାଟି ଗୁଡିକ ସିଲ୍‌ ଥିବାରୁ ପଡୋଶୀ ଜିଲାରୁ ହାତ ତିଆରି ଦେଶୀ ମଦ ଆଣି ବ୍ୟବସାୟ ହେଉଛି। ତେବେ ଏ ସମ୍ପର୍କରେ ବଡମାଲ ଥାନା ଅଧିକାରୀ ଅମିତାଭ ପଣ୍ଡାଙ୍କୁ ପଚାରିବାରୁ ସମ୍ବଲପୁର ଜିଲା ରେଙ୍ଗାଲି ଅଞ୍ଚଳରୁ ଏଠାକୁ ମଦ ଚୋରା ଚାଲାଣ କରାଯାଉଛି। ଏବଂ ପୋଲିସ କଡାକଡି ଭାବେ ପାଟ୍ରୋଲିଂ କରି ସେମାନଙ୍କୁ ଧରିବାରେ ସକ୍ଷମ ହେଉଛି ବୋଲି କହିଛନ୍ତି।