ଲକ୍‌ ଡାଉନରେ ଭୁଲିଆଙ୍କ କୌଳିକ ବୃତ୍ତି ଠପ୍‌: ଦୁଃଖ ଦୁର୍ଦ୍ଦଶାରେ ପରିବାର

ମନମୁଣ୍ଡା, ୧୯।୪ (ଡି.ଏନ.ଏ.)- ଲାଭ ମିଳୁ ନ ମିଳୁ, କାମ ଛୋଟ ହେଉକି ବଡ କେହି ନିଜର କୌଳିକ ବୃତ୍ତିରୁ ବିଚ୍ୟୁତ ହେବାକୁ ଚାହାନ୍ତି ନାହିଁ । ଏହିପରି ଭୁଲିଆ ଜାତିର ଆବାଳ ବୃଦ୍ଧ, ବୃଦ୍ଧା ନିଜର କୌଳିକ ବୃତ୍ତି ହସ୍ତତନ୍ତ ଉପରେ ନିର୍ଭରଶୀଳ । ବର୍ତ୍ତମାନ ପୂର୍ବଭଳି ମଜୁରୀ ଓ ଲାଭ ମିଳୁନଥିବା ବେଳେ ବି ସେମାନେ ଲୁଗାବୁଣା ଚାଲୁ ରଖିଛନ୍ତି । ଏହି କାମ ଏପରି ଯେ, ଏଥିରେ ସପରିବାରଙ୍କ ସହଯୋଗ ରହିଥାଏ । କିଏ ସୂତାର ରଙ୍ଗ କରେ ତ କିଏ ବାନ୍ଧ କାମ କରେ ଏବଂ କିଏ ସୂତା ଗୁଡାରେ ସାହାଯ୍ୟ କରେ ତ ମିଳିତ ସହଯୋଗରେ ତନାସରା କାମ କରାଯାଏ । ତାପରେ ବହୁ କଷ୍ଟ, ସାବଧାନତା ସହ ଲୁଗା ବୁଣାଯାଏ । କିନ୍ତୁ କରୋନା ପାଇଁ ଲକ୍‌ ଡାଉନ ଯୋଗୁ ଘରୁ ବାହାରିବା ମନା ଥିବାରୁ ଭୁଲିଆମାନଙ୍କ ହସ୍ତତନ୍ତ କାମ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି । ଯେଉଁମାନେ ଲକ୍‌ ଡାଉନ ପୂର୍ବରୁ ଲୁଗା ବୁଣି ସାରିଥିଲେ ସେମାନେ ମାଲିକକୁ ତ ଆଉ କିଏ ବଜାରକୁ ଶାଢ଼ୀ ନେଇ ନ ପାରି ଘରେ ପକାଇ ରଖିଛନ୍ତି । କିନ୍ତୁ ଅନେକ ପରିବାରଙ୍କ ଲୁଗାବୁଣା ସମ୍ପୂର୍ଣ୍ଣ ବନ୍ଦ ରହିଛି। ମନମୁଣ୍ଡା, ଦେଉଳି, ବାସୁଦେବପାଲି, ଶ୍ରୀହରିନଗର, ଗବ୍‌ଯୋରରେ ଅନେକ ଭୁଲିଆ ପରିବାର ବଜାରରୁ ସୂତା ଆଣି ପାରି ନ ଥିବା ହେତୁ ସମସ୍ତଙ୍କ କାମ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଗବଯୋରରେ ପ୍ରାୟ ୮୦ ପ୍ରତିଶତ ଭୁଲିଆ ପରିବାର ବାସ କରନ୍ତି । ଏଠାରେ ପ୍ରାୟ ୩୫୦ ପରିବାର ବୁଣାକାର ଅଛନ୍ତି । ତନ୍ତ କାମରେ ଗାଁରେ ଶବ୍ଦ ସର୍ବଦା ଶୁଣାଯାଏ । ତେବେ ଲକ୍‌ ଡାଉନ ହେତୁ ସୂତା ନ ମିଳିବା ଫଳରେ ଲୁଗାବୁଣା ଠପ୍‌ ହୋଇଯାଇ ଥିବାରୁ ଗାଁରେ ନିସ୍ତବ୍ଧିତା ଦେଖା ଦେଇଛି। ସମସ୍ତ ବୁଣାକାର ପରିବାର ଅସୁବିଧା ଓ ଦୁଃଖ ଦୁର୍ଦ୍ଦଶାରେ ଚଳୁଥିବା ଉକ୍ତ ଗ୍ରାମର ଧବଳେଶ୍ୱର ମେହେର, କର୍ଣ୍ଣ ମେହେର, ଲକ୍ଷ୍ମଣ ମେହେର, ନିଳାଞ୍ଚଳ ମେହେର, ରୁଦ୍ରସିଂ ମେହେର, ଗଣେଷ ମେହେର, ଲାଲ କିଶୋର ମେହେର, ରାମେଶ୍ୱର ମେହେର କହନ୍ତି। ସରକାର ବୁଣାକାର ପରିବାର ପାଇଁ ସ୍ବତନ୍ତ୍ର ଏକ ପ୍ୟାକେଜ ଘୋଷଣା କରି ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ସେମାନେ ଅନୁରୋଧ ଜଣାଇଛନ୍ତି।