Categories: ଖେଳ

ଲକ୍‌ଡାଉନ ସମୟରେ ସ୍ବତନ୍ତ୍ର ଟ୍ରେନିଂ କରିବ ବିରାଟ ବାହିନୀ

ନୂଆଦିଲ୍ଲୀ,୨୫।୩- ମାରାତ୍ମକ କରୋନା ଭାଇରସରୁ ବର୍ତ୍ତିବା ଲାଗି ସରକାର ଲକ୍‌ଡାଉନ ଘୋଷଣା କରିଛନ୍ତି। ଭାରତୀୟ କ୍ରିକେଟରମାନେ ଏବେ ଘରେ ପରିବାର ସହ ସମୟ କାଟୁଛନ୍ତି। କିନ୍ତୁ ଷ୍ଟ୍ରେନ୍ଥ ଓ କଣ୍ଡିଶନିଂ କୋଚ୍‌ ନିକ୍‌ ଓ୍ବେବ ଟିମ୍‌ ଇଣ୍ଡିଆର ଫିଜିଓ ନୀତିନ ପଟେଲଙ୍କ ସହ ଆଲୋଚନ ପରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଦଳ ପାଇଁ ଟ୍ରେନିଂ କାର୍ଯ୍ୟସୂଚୀ ପ୍ରସ୍ତୁତ କରିଛନ୍ତି। ଯାହାଫଳରେ ଲକ୍‌ଡାଉନ ସମୟରେ ମଧ୍ୟ ଦଳର ଖେଳାଳିମାନେ ସମ୍ପୂର୍ଣ୍ଣ ଫିଟ୍‌ ରହିବେ। ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଓ୍ବେବ ଓ ପଟେଲ କେନ୍ଦ୍ରୀୟ ଚୁକ୍ତିରେ ସାମିଲ ଥିବା ପ୍ରତ୍ୟେକ ଖେଳାଳିଙ୍କ ଲାଗି ଏକ ସ୍ବତନ୍ତ୍ର ରୁଟିନ ପ୍ରସ୍ତୁତ କରିଛନ୍ତି। ସମସ୍ତ ଖେଳାଳିଙ୍କୁ ଫିଟ୍‌ନେସ ରୁଟିନ ଦିଆଯାଇଛି। ସେମାନଙ୍କୁ ଏହା କାର୍ଯ୍ୟକାରୀ କରିବାକୁ ପଡ଼ିବ ଏବଂ ଓ୍ବେବ ଓ ପଟେଲଙ୍କୁ ନିୟମିତ ଅପଡେଟ୍‌ ଦେବେ। ଖେଳାଳିଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରୁଟିନ ପ୍ରସ୍ତୁତ କରାଯାଇଛି। ଉଦହାରଣ ସ୍ବରୂପ ଜଣେ ବୋଲରଙ୍କୁ ଶରୀରର ନିମ୍ନ ଭାଗକୁ ଶକ୍ତିଶାଳୀ କରିବାକୁ ଏକ୍ସରସାଇଜ ଦିଆଯାଇଛି। ସେହିଭଳି ଜଣେ ବ୍ୟାଟ୍ସମ୍ୟାନଙ୍କୁ କାନ୍ଧ ଓ ରିଷ୍ଟକୁ ମଜଭୁତ କରିବା ଲାଗି ଏକ୍ସରସାଇଜ କରିବାକୁ କୁହାଯାଇଛି। ଆଉ ଅଧିକ ଓଜନ ସହ ଏକ୍ସରସାଇଜ କରୁଥିବା କୋହଲିଙ୍କ କଥା ମଧ୍ୟ ଧ୍ୟାନ ଦିଆଯାଇଛି। ଏଣୁ କୋହଲି ରୁଟିନ ଅନୁସାରେ କ୍ଲିନ ଓ ଜର୍କ ଏବଂ ଡେଡ୍‌ଲିଫ୍ଟ କରିବେ। ଅନ୍ୟ ବ୍ୟାଟ୍ସମ୍ୟାନଙ୍କୁ ସହଜ ଏକ୍ସରସାଇଜ ଦିଆଯାଇଛି।

Share