ଲକ୍‌ଡାଉନ ସଙ୍କଟ: ବାଇକ୍‌ରେ ଶାଶୁଘର ଗଲେ କନ୍ୟା

ଲକ୍ଷ୍ନୌ,୬।୫: କରୋନା ମହାସଙ୍କଟ ଯୋଗୁ ସାରା ଦେଶରେ ଲକ୍‌ଡାଉନ ଜାରି ରହିଛି। ଏଥିଯୋଗୁ ବିବାହ, ପାର୍ଟି, ଧାର୍ମିକ ସଭା ଆଦି କାର୍ଯ୍ୟକ୍ରମ ଉପରେ ସରକାର ରୋକୋ ଲଗାଯାଇଛନ୍ତି। କେତେକ ସ୍ଥାନରେ ବରକନ୍ୟା ଭିଡିଓ କନ୍‌ଫରେନ୍ସିଂ ବିବାହ କରୁଥିବା ବେଳେ ଆଉ କେତେକ ବିବାହ ତାରିଖକୁ ସ୍ଥଗିତ କରିଦେଇଥିବା ନଜିର ରହିଛି। ଇତିମଧ୍ୟରେ ମଧ୍ୟପ୍ରଦେଶରେ ଏକ ନିଆରା ବିବାହ ଦେଖିବାକୁ ମିଳିଛି। ଲକ୍‌ଡାଉନରେ ବିବାହ ପାଇଁ ବର ନିଜେ ବାଇକ୍‌ରେ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯାଇ କନ୍ୟାଙ୍କୁ ଘର ଆଣିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଉତ୍ତରପ୍ରଦେଶର ଅଜନର ଥାନା ନିକଟସ୍ଥ ଅଶୋକ ନଗର ଗାଁର ଇନ୍ଦଲ ରେକଓ୍ବାରଙ୍କ ବିବାହ ମଧ୍ୟପ୍ରଦେଶ ଟିକମଗଢ଼ ଜିଲାର ଦେବରହା ଗାଁର ଜଣେ ଯୁବତୀଙ୍କ ସହ ଠିକ୍‌ ହୋଇଥିଲା।

ଆଗାମୀ ୧ ବର୍ଷ ପର୍ଯ୍ୟନ୍ତ ଦୁହିଁଙ୍କ ବିବାହ ଯୋଗ ନ ଥିବାରୁ ଏହି ଲକ୍‌ଡାଉନ ଭିତରେ ନିରାଡ଼ମ୍ବରରେ ବିବାହ କରିବାକୁ ଉଭୟ ପରିବାର ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ବର ଇନ୍ଦଲ ବିନା ବ୍ୟାଣ୍ଡବାଜା ଓ ବରଯାତ୍ରୀରେ ନିଜ ୨ଭାଇ ଓ ବାପାଙ୍କ ସହ ବିବାହ କରିବାକୁ ଉତ୍ତରପ୍ରଦେଶରୁ ମଧ୍ୟପ୍ରଦେଶକୁ ବାଇକ୍‌ରେ ଯାଇଥିଲେ। ଗୋଟିଏ ଦିନ ପୂର୍ବରୁ ସେମାନେ ଉତ୍ତରପ୍ରଦେଶରୁ ବାଇକ୍‌ରେ ବାହାରିଥିଲେ। ମଧ୍ୟପ୍ରଦେଶର ଦେବରାହା ଗାଁରେ ପହଞ୍ଚି ବିବାହର ସମସ୍ତ କାର୍ଯ୍ୟକ୍ରମ ସମ୍ପନ୍ନ କରିବା ପରେ ଇନ୍ଦଲ କନ୍ୟାଙ୍କୁ ଧରି ବାଇକ୍‌ରେ ବିଦା ହୋଇଥିଲେ।

ଠିକ୍‌ ସେହି ସମୟରେ ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶ ବର୍ଡରରେ ଥିବା ଗରୋଲି ଆଉଟପୋଷ୍ଟ ପୋଲିସ ସେମାନଙ୍କୁ ଅଟକାଇ ପଚରାଉଚରା କରିଥିଲେ। ଇନ୍ଦଲ ସମସ୍ତ କଥା କହିବା ପରେ ପୋଲିସ ନବବିବାହିତାଙ୍କୁ ଶୁଭକାମନା ଜଣାଇ ଘରକୁ ଯିବାକୁ ଦେଇଥିଲେ। ତେବେ ଲକ୍‌ଡାଉନର ସମସ୍ତ ନିୟମ ମାନିବା ସହ ନିଆରା ଢ଼ଙ୍ଗରେ ବିବାହ କରିଥିବାରୁ ଇନ୍ଦଲଙ୍କୁ ସମସ୍ତ ମହଲରେ ପ୍ରଶଂସା କରାଯାଇଛି।

Share