Categories: ବୌଦ୍ଧ

ଲକ୍‌ଡାଉନ ଯୋଗୁ ଉଜୁଡିଲା ପରିବା ଚାଷ

ବୌଦ୍ଧ,୨୫ା୪(ସ୍ବ.ପ୍ର.)- ଶିଳ୍ପବିହୀନ ବୌଦ୍ଧ ଏକ କୃଷି ପ୍ରଧାନ ଜିଲା । ଏଠାକାର ୮୦ ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରିଥାଆନ୍ତି । ଜିଲାରେ ଧାନ ଓ ପନିପରିବା ଚାଷ ଲୋକଙ୍କ ମୁଖ୍ୟ ଆୟକାରୀ ଫସଲ । ସେମାନେ ଚାଷରୁ ହିଁ ନିଜର ପରିବାର ପ୍ରତିପୋଷଣ କରିଥାନ୍ତି । ଚଳିତ ବର୍ଷ ଚାଷୀମାନେ ଧାନ ବିକ୍ରି କରିବାକୁ ମଣ୍ଡିରେ ରଖିଥିଲେ । ହେଲେ ଅଦିନିଆ ବର୍ଷାରେ ତାହା ନଷ୍ଟ ହୋଇଗଲା । ଏହି କ୍ଷତିକୁ ଚାଷୀମାନେ ଭରଣ କରି ନ ଥିବା ବେଳେ ବର୍ତ୍ତମାନ କରୋନା କଟକଣା ପରିବା ଚାଷୀଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି । ଲକ୍‌ଡାଉନ ଯୋଗୁ ଚାଷଙ୍କ ପରିବା ଚାଷ ଏକ ପ୍ରକାର ଉଜୁଡି ଯାଇଛି । ଜମିରେ ତରଭୁଜ, ବାଇଗଣ, ଟମାଟୋ, କାକୁଡି, କଖାରୁ , କଲରା, ଜହ୍ନି ଆଦି ପରିବା ଗଛରେ ରହି ପଚି ଯାଉଛି । ଗାଡି ଚଳାଚଳ ବନ୍ଦ ଯୋଗୁ ସେହି ପରିବା କିଣିବାକୁ କୌଣସି ବ୍ୟବସାୟୀ ଆସି ପାରୁ ନାହାନ୍ତି । ଏଣେ ଚାଷୀ ବି ନିଜ ଜମିର ପରିବା ତୋଳି ହାଟ ବଜାରକୁ ନେଇପାରୁନାହିଁ। ଫଳରେ ଚାଷୀଙ୍କ ଚିନ୍ତା ବଢ଼ିଛି ।
ବୌଦ୍ଧ ସହର ନିକଟ ଗିରସିଙ୍ଗା, ମର୍ଯ୍ୟାଜିପୁର, ମୁର୍ଷୁଣ୍ଡି, ବଢିଙ୍ଗା ଆଦି ଗ୍ରାମରେ ଏପରି ପରିସ୍ଥିତି ସୃଷ୍ଟି ହୋଇଛି । ଏକର ଏକର ଜମିରେ ଫଳିଥିବା ପନିପରିବା ପଚି ନଷ୍ଟ ହୋଇଛି । ଯାହାକିଛି ଚାଷୀ ବିକ୍ରି ପାଇଁ ସ୍ଥାନୀୟ ବଜାରକୁ ଆଣୁଥିଲେ ତାହା ଲକ୍‌ଡାଉନ ଯୋଗୁ ବନ୍ଦ ରହିଛି । କେତେକ କ୍ଷେତ୍ରରେ ଚାଷୀ ନିଜ ପରିବାକୁ ଶାଗ ମାଛ ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଛି । ଏପରି ପରିସ୍ଥିତିରେ ପରିବା ଚାଷୀମାନେ ସେମାନଙ୍କ ଋଣ କିପରି ଶୁଝିବେ ତାହା ଚିନ୍ତା କରିପାରୁନାହାନ୍ତି । ଜିଲା ପ୍ରଶାସନ ଏହି ପରିବା ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଦାବି ହୋଇଛି ।