ଲକ୍‌ଡାଉନ ମଧ୍ୟରେ ହେବ ସିବିଏସ୍‌ଇ ଦଶମ-ଦ୍ୱାଦଶ ପରୀକ୍ଷା: ସ୍ବତନ୍ତ୍ର ବସ୍‌ରେ ଯିବେ ପରୀକ୍ଷାର୍ଥୀ; ଶାହା

ନୂଆଦିଲ୍ଲୀ,୨୦।୫: କରୋନା ଲକ୍‌ଡାଉନ ଯୋଗୁ ପିଲାଙ୍କ ପାଠପଢ଼ା, ପରୀକ୍ଷା ଓ ଖାତାଦେଖା ବାଧାପ୍ରାପ୍ତ ହୋଇଛି। ସ୍କୁଲ, କଲେଜ ବନ୍ଦ ଥିବାରୁ ଛାତ୍ରୀଛାତ୍ରଙ୍କ ପାଠପଢ଼ା ଲାଗି ସରକାର ଅନ୍‌ଲାଇନ୍‌ କ୍ଲାସ୍‌ ଆରମ୍ଭ କରିଛନ୍ତି। ଇତିମଧ୍ୟରେ ସିବିଏସ୍‌ଇ ବୋର୍ଡ ପରୀକ୍ଷାକୁ ନେଇ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ବଡ଼ ଘୋଷଣା କରାଯାଇଛି। ସିବିଏସ୍‌ଇ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷାକୁ ଲକ୍‌ଡାଉନ କଟକଣାରୁ ମୁକ୍ତ ରଖିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ପିଲାଙ୍କ ଭବିଷ୍ୟତକୁ ନଜରରେ ରଖି ପରୀକ୍ଷା ପାଇଁ ଅନୁମତି ଦିଆଯାଇଛି ବୋଲି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ଏହାସହ ପରୀକ୍ଷାର୍ଥୀଙ୍କ ଲାଗି ରାଜ୍ୟ ସରକାର ସ୍ବତନ୍ତ୍ର ବ୍ୟବସ୍ଥା କରିବେ। ଏଥିପାଇଁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ନୂଆ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ଏହି ଗାଇଡ୍‌ଲାଇନ୍‌ ଅନୁସାରେ ପରୀକ୍ଷା ଆୟୋଜନ ସମୟରେ ସମସ୍ତ ପ୍ରକାରର ନିୟମାବଳୀକୁ କଡ଼ାକଡ଼ା ପାଳନ କରାଯିବ। ଶିକ୍ଷକ ଓ ପରୀକ୍ଷାର୍ଥିମାନେ ସାମାଜିକ ଦୂରତ୍ୱ, ମାସ୍କ ଓ ହାତ ଧୋଇବା ଆଦି ନିୟମକୁ ପାଳନ କରିବେ। କୌଣସି କଣ୍ଟେନମେଣ୍ଟ ଜୋନ୍‌ରେ ପରୀକ୍ଷା କେନ୍ଦ୍ର କରାଯିବ ନାହିଁ। ସେହିପରି ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିବା ସମୟରେ ସମସ୍ତଙ୍କ ପ୍ରଥମେ ଥର୍ମାଲ ସ୍କ୍ରିନିଂ କରାଯାଇ ଯାଞ୍ଚ କରାଯିବ । ଏହାସହ ସେଠାରେ ସାନିଟାଇଜର, ହ୍ୟାଣ୍ଡଓ୍ବାସ ରହିବା ନିହାତି ଜରୁରୀ। ଏତଦ୍‌ ବ୍ୟତୀତ ପରୀକ୍ଷାର୍ଥୀଙ୍କୁ ପରୀକ୍ଷା କେନ୍ଦ୍ରକୁ ଯିବା ପାଇଁ ରାଜ୍ୟ ସ୍ବତନ୍ତ୍ର ବସ୍‌ର ଆୟୋଜନ କରିବ ବୋଲି ଶାହା କହିଛନ୍ତି।

Share