ଲକ୍‌ଡାଉନ ପ୍ରଭାବ: ବିମାନ ଯାତ୍ରା କରି ନ ପାରି ଘରକୁ ସଜାଇଲେ ବିମାନ ଭଳି

ସିଡ୍‌ନୀ,୨୬।୪: ଲକ୍‌ଡାଉନକୁ ନେଇ ଅଷ୍ଟ୍ରେଲିଆରୁ ଆସିଛି ଭିନ୍ନ ଏକ ଘଟଣା। କରୋନା ମହାମାରୀ ପୂର୍ବରୁ ଅଷ୍ଟ୍ରେଲିଆର ଏକ ପରିବାର ୟୁରୋପ ବୁଲି ଯିବାକୁ ଯୋଜନା କରିଥିଲେ। ହେଲେ କରୋନା ସଂକ୍ରମଣକୁ ନେଇ ଲକ୍‌ଡାଉନ ହୋଇଯିବାରୁ ସମସ୍ତ ବିମାନ ଯାତ୍ରାକୁ ବାତିଲ କରିଦିଆଗଲା। ହେଲେ ଏହି ପରିବାର ବିମାନ ଯାତ୍ରାର ମଜା ଉଠାଇବା ପାଇଁ ନିଜ ଘରକୁ ବିମାନବନ୍ଦର ଓ ବିମାନ ଭଳି ସଜାଇ ଦେଇଥିଲେ। ଘରର ଗୋଟିଏ ସ୍ଥାନରେ ଲଗେଜ କାଉଣ୍ଟର ଥିବା ବେଳେ ଅନ୍ୟ ଭାଗରେ ଥିଲା ବିମାନର ସିଟ୍‌। ବୋର୍ଡ ପାସ୍‌ ସହ ବିମାନରେ ମିଳୁଥିବା ଖାଦ୍ୟ ଭଳି ଟ୍ରେରେ ସଜା ହୋଇଥିଲା ମିଲ୍‌। ଆଉ ଏମାନେ ଘରେ ହିଁ ସିଡ୍‌ନୀରୁ ମ୍ୟୁନିଖ ପର୍ଯ୍ୟନ୍ତ ୧୫ ଘଣ୍ଟା ଯାତ୍ରାର ମଜା ଉଠାଇଥିଲେ।

ଆଉ ଏହାର ପ୍ରତି ମୂହୂର୍ତ୍ତର ଫଟୋ ଓ ଭିଡିଓକୁ ସେମାନେ ସୋସିଆଲ ମିଡିଆରେ ଅପ୍‌ଲୋଡ କରିବା ପରେ ଘଟଣା ସମ୍ପର୍କରେ ଜଣାପଡିଥିଲା। ନ୍ୟୁକୈଶଲରେ ରହୁଥିବା କ୍ରେଷ୍ଟି ରସେଲ କୁହନ୍ତି, ୫ ବର୍ଷ ହେବ ସେ ଫ୍ରାମିଲି ଟ୍ରିପ୍‌ ପାଇଁ ଯୋଜନା କରିଥିଲେ। ହେଲେ ଠିକ୍‌ ଯେତେବେଳେ ସେମାନେ ବୁଲିବାକୁ ବାହାରିଛନ୍ତି ସେହି ସମୟରେ ହିଁ ଲକ୍‌ଡାଉନ ତାଙ୍କ ଯାତ୍ରାରେ ବାଧା ସୃଷ୍ଟି କରିଥିଲା। ହେଲେ ଯାତ୍ରାର ମଜା ଉଠାଇବାକୁ ଯାଇ ସେ ଘରକୁ ବିମାନ ବନ୍ଦର ଓ ବିମାନ ଭଳି ସଜାଇ ସବୁ ଘଟଣାକୁ ଅନୁଭବ କରିବା ଭଳି ପରିବେଶ ସୃଷ୍ଟି କରିଥିଲେ। ଏମିତିକି ତାଙ୍କ ପୋଷା କୁକୁର ମଧ୍ୟ ତାଙ୍କ ସହ ଯାତ୍ରା କରୁଥିବା ସେ କହିଛନ୍ତି। ବିଳମ୍ବ କାରଣରୁ ବିମାନ ନ ପାଇବାର ଘୋଷଣା କଥା ମଧ୍ୟ ସେ ଟୁଇଟରରେ ଉଲ୍ଲେଖ କରିଛନ୍ତି।

Share