ଲକ୍‌ଡାଉନ୍‌ ଶେଷ ପରେ ପୁରୁଷୋତ୍ତମପୁରକୁ ଫେରିବେ ୧୫,୩୦୦ ଲୋକ: ୧୨୩ କ୍ୱାରାଣ୍ଟାଇନ୍‌ ସେଣ୍ଟର ପ୍ରସ୍ତୁତ: ତଦାରଖ କଲେ ଉପଜିଲାପାଳ

ପୁରୁଷୋତ୍ତମପୁର,୨୬ା୪(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଏବଂ ଏନ୍‌ଏସିକୁ ରାଜ୍ୟ ଓ ଜିଲା ବାହାରୁ ଆସିବାକୁ ଥିବା ଲୋକଙ୍କ ଆକଳନକୁ ଲକ୍ଷ୍ୟ ରଖି ପ୍ରଶାସନ ପକ୍ଷରୁ ପ୍ରାୟ ୧୫ ହଜାର ୩ ଶହ ଲୋକଙ୍କ ରହିବା ଲାଗି କ୍ବାରାଣ୍ଟାଇନ୍‌ ସେଣ୍ଟରର ବ୍ୟବସ୍ଥା କରାଯାଇଛି। ଏଥିମଧ୍ୟରୁ ପୁରୁଷୋତ୍ତମପୁର ଏନ୍‌ଏସିରେ ୬ଟି ସେଣ୍ଟର ଯଥା ତାରା ତାରିଣୀ କଲେଜ, ଏନ.ଡି ହାଇସ୍କୁଲ, ସରକାରୀ ବାଳିକା ହାଇସ୍କୁଲର, ସରସ୍ବତୀ ଶିଶୁ ମନ୍ଦିର, ଏକ୍ସ ବୋର୍ଡ ପ୍ରାଥମିକ ସ୍କୁଲ ଓ କୁମଗ ଉଚ୍ଚ ପ୍ରାଥମିକ ସ୍କୁଲ ଗୃହକୁ ନିଆଯାଇ ସେଥି ମଧ୍ୟରେ ୩୦୦ ଲୋକଙ୍କ ରହିବା ଲାଗି ବ୍ୟବସ୍ଥା କରାଯାଇଛି। ଜଳ ଯୋଗାଣ, ପାଇଖାନା, ବିଦ୍ୟୁତ୍‌, ମହିଳା, ଶିଶୁ ଓ ପୁରୁଷମାନଙ୍କ ଲାଗି ସ୍ବତନ୍ତ୍ର ରହିବା ବ୍ୟବସ୍ଥା ମଧ୍ୟ କରାଯାଇଛି। ଛତ୍ରପୁର ଉପଜିଲାପାଳ ପ୍ରିୟରଞ୍ଜନ ପୃଷ୍ଟି ଏନ୍‌ଏସି ନିର୍ବାହୀ ଏ. ନାଗେଶ୍ବର ରାଓଙ୍କୁ ନିର୍ଦ୍ଦେଶ ଦେଇ ସମସ୍ତ ସେଣ୍ଟରର ପାରିପାର୍ଶ୍ୱିକ ସ୍ଥିତି ଯାଞ୍ଚ କରିଛନ୍ତି। ସେହିପରି ବ୍ଲକର ୨୬ଟି ପଞ୍ଚାୟତକୁ ପ୍ରାୟ ୧୫ ହଜାର ଲୋକ ଫେରିବା ଆଶଙ୍କା କରି ୧୨୩ଟି କ୍ବାରାଣ୍ଟାଇନ୍‌ ସେଣ୍ଟର ବ୍ୟବସ୍ଥା କରାଯାଇଛି। ଏହି ଲୋକଙ୍କ ତଦାରଖ ଲାଗି ଏନ୍‌ଏସିରେ ୨ଟି ଜୋନ୍‌ କରାଯାଇଛି। ବ୍ଲକର ୨୬ଟି ପଞ୍ଚାୟତକୁ ୧୩ଟି ଜୋନ୍‌ରେ ବିଭକ୍ତ କରି ପ୍ରତି ସେଣ୍ଟରରେ ସେଠାକାର ଅଧ୍ୟକ୍ଷ ଓ ପ୍ରଧାନଶିକ୍ଷକମାନଙ୍କୁ ସେଣ୍ଟର ଇନ୍‌ଚାର୍ଜ ଦାୟିତ୍ୱ ଦିଆଯାଇଛି। ଏଥିସହ ଆବଶ୍ୟକ କର୍ମଚାରୀ ଯୋଗାଇ ଦେବା ନୋଡାଲ ଅଫିସର ନିଯୁକ୍ତ ଲାଗି ମଧ୍ୟ ବ୍ୟବସ୍ଥା କରାଯାଇଛି।