ଲକ୍‌ଡାଉନ୍‌: ଲୋକଙ୍କୁ ରନ୍ଧାଖାଦ୍ୟ ବାଣ୍ଟିଲେ ପାଟଣା ସୁରକ୍ଷା କମିଟିର ସଦସ୍ୟ

ପାଟଣା,୨୯।୩(ସ୍ବ.ପ୍ର): କରୋନା ପାଇଁ ସାରା ଦେଶ ଲକ୍‌ଡାଉନ୍‌ ଥିବା ବେଳେ ଦିନମଜୁରିଆ, ଖଟିଖିଆ ଓ ଶ୍ରମିକ ଶ୍ରେଣୀର ଲୋକଙ୍କ ଘରେ ଚୁଲି ଜଳୁନାହିଁ। କେନ୍ଦୁଝର ଜିଲା ପାଟଣା ବ୍ଲକ ପାଟଣା ସୁରକ୍ଷା କମିଟି ତରଫରୁ ବଡ଼ପାଟଣା ପଞ୍ଚାୟତ ସ୍ବାମ ମୁଣ୍ଡା ସାହି ଓ ମଙ୍ଗଳପୁର ମୁଣ୍ଡା ସାହିରେ ରବିବାର ୧୦୦ ରୁ ଊର୍ଦ୍ଧ୍ୱ ଲୋକଙ୍କୁ ରନ୍ଧା ଖାଦ୍ୟ ଦିଆଯାଇଛି। ଏହି ସଂଗଠନର ଯୁବକମାନେ ସାମାଜିକ ଦୂରତ୍ୱ ବଜାଇ ରଖି ଘରକୁ ଘର ବୁଲି ରନ୍ଧା ଖାଦ୍ୟ ବାଣ୍ଟିବା ସହ ଘରେ ରହିବାକୁ ବୁଝାଇଥିଲେ। କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ପାଟଣା ଥାନାଧିକାରୀ ସଂଧ୍ୟାରାଣୀ ଜେନା ଓ ଏଏସ୍‌ଆଇ ଅରୁପ କୁମାର ସାମଲ ଶୁଭାରମ୍ଭ କରିଛନ୍ତି। ସୁରକ୍ଷା କମିଟିର ଆବାହକ ବିଜୟ ରତ୍ନ ପତି, ସଭାପତି ସବୀର କୁମାର ଦାଶ ପ୍ରମୁଖ ରନ୍ଧା ଖାଦ୍ୟ ବାଣ୍ଟିଛନ୍ତି।