ଲକ୍‌ଡାଉନ୍‌ ମାନୁନାହାନ୍ତି ଲୋକେ, ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ପୋଲିସ

ମୁନିଗୁଡ଼ା,୬ା୪(ଡି.ଏନ୍‌.ଏ.): କରୋନା ଭୂତାଣୁ ଲାଗି ସାରା ରାଜ୍ୟରେ ଲକ୍‌ଡାଉନ୍‌ ଜାରି ରହିଥିବା ବେଳେ ସୋମବାର ଏହା ୧୩ ଦିନରେ ପହଞ୍ଚିଛି। ବହୁ ଲୋକ ଏହାକୁ ସମ୍ପୂର୍ଣ୍ଣ ଭାବେ ମାନୁଥିବା ବେଳେ ଆଉ କେତେକ ଅମାନିଆ ହୋଇ ରାସ୍ତାରେ ବୁଲୁଛନ୍ତି। ତେବେ ଏହାକୁ କଡ଼ାକଡି ଭାବେ ପାଳନ କରିବାକୁ ମୁନିଗୁଡ଼ା
ଥାନା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ଦେହୁରୀଙ୍କ ନିର୍ଦ୍ଦେଶରେ ମୁନିଗୁଡାର ବିଭିନ୍ନ ସ୍ଥାନରେ ଯାଞ୍ଚ କରାଯାଉଛି। ବିନା କାରଣରେ ବୁଲୁଥିବା ଲୋକଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ଜଣାପଡ଼ିଛି l ସେହିପରି ପୂର୍ବାହ୍ନ ୭ଟାରୁ ୧୧ଟା ପର୍ଯ୍ୟନ୍ତ ଖୋଲା ରହୁଥିବା ଦୋକାନଗୁଡିକରେ ଲୋକେ ଭିଡ଼ ଜମାଇବା ସହ ସାମାଜିକ ଦୂରତା ରକ୍ଷା କରୁ ନ ଥିବାରୁ ମାଜିଷ୍ଟ୍ରେଟ୍‌ ଦାୟିତ୍ୱରେ ଥିବା ମୁନିଗୁଡ଼ା ତହସିଲଦାର ଦେବାଶିଷ ଗୌଡ଼ ଓ ବିଡିଓ ଦିଲ୍ଲୀପ କୁମାର ବେହେରାଙ୍କ ନିର୍ଦ୍ଦେଶ କ୍ରମେ ମୁନିଗୁଡ଼ାର ୭ଟି ସ୍ଥାନରେ ପରିବା ଦୋକାନକୁ ସ୍ଥାନାନ୍ତର କରାଯାଇଛି l ଅନ୍ୟପଟେ ହୋମଗାର୍ଡ ପ୍ଲାଟୁନ କମାଣ୍ଡର ସନ୍ତୋଷ ପାଢ଼ୀଙ୍କ ନେତୃତ୍ୱରେ ଏକ ହୋମଗାର୍ଡ ଟିମ୍‌ ଗଠନ କରାଯାଇ ସାଇକେଲ ଯୋଗେ ସାହି ସାହି ବୁଲି ଲୋକମାନଙ୍କୁ ସଚେତନ କରାଯାଉଛି।