ଲକ୍‌ଡାଉନ୍‌ ମାନୁନାହାନ୍ତି, ଔଷଧ ଆଣିବା ବାହାନାରେ ବାହାରେ ବୁଲୁଛନ୍ତି ଲୋକେ

ବାଲିଗୁଡ଼ା,୨୮।୩(ଡି.ଏନ୍‌.ଏ.): କରୋନା ସଂକ୍ରମଣ ରୋକିବାକୁ ସାରାଦେଶ ଲକ୍‌ଡାଉନ୍‌ କରାଯାଇଛି। କେବଳ ଜରୁରୀ ସମୟରେ ଓ ଅତ୍ୟାବଶ୍ୟକ ସାମଗ୍ରୀ ଆଣିବା ପାଇଁ ଲୋକମାନେ ବାହାରକୁ ଯିବା ପାଇଁ ସରକାରୀ ନିର୍ଦ୍ଦେଶ ରହିଛି। ହେଲେ କନ୍ଧମାଳ ଜିଲା ବାଲିଗୁଡ଼ା ତଥା ଆଖପାଖ ବ୍ଲକ ଅଞ୍ଚଳରେ ଲୋକମାନେ ଏହାକୁ ମାନୁ ନ ଥିବା ଦେଖାଯାଉଛି। ମେଡିକାଲକୁ ଯିବା, ଔଷଧ ଆଣିବା ନ ହେଲେ ଖାଦ୍ୟ ସାମଗ୍ରୀ ଆଣିବା ନାଁରେ ଅନେକ ଲୋକ ଘରୁ ବାହାରି ପଦାରେ ବୁଲୁଛନ୍ତି। ବାଲିଗୁଡ଼ା ଟାଉନ ଅଞ୍ଚଳରେ ଅନେକ ସମୟରେ ଲୋକଙ୍କ ଗହଳି ଲାଗି ରହୁଥିବାରୁ ସ୍ଥାନୀୟ ତହସିଲଦାର ଓ ଥାନା ଅଧିକାରୀଙ୍କ ସହ ପୋଲିସ ସେଠାରେ ପହଞ୍ଚି ସାମାଜିକ ଦୂରତ୍ୱ ରକ୍ଷା କରିବା ପାଇଁ ଲୋକଙ୍କୁ ସଚେତନ କରିଥିଲେ। ଏଥିସହ ଦୋକାନୀଙ୍କ ସହ ଆଲୋଚନା କରି ଲୋକଙ୍କୁ ସଚେତନ କରିବାକୁ ପରାମର୍ଶ ଦେଇଥିଲେ। ଏହା ବ୍ୟତୀତ ଏଠାରେ ସକାଳ ୭ଟରୁ ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ଜରୁରିକାଳୀନ ଦୋକାନ ଯଥା, ରାଶନ ସାମଗ୍ରୀ, ପନିପରିବା, କ୍ଷୀର ଭଳି ବିଭିନ୍ନ ଦୋକାନ ଖୋଲା ଯାଉଛି। ଏ ସବୁକୁ ଦୃଷ୍ଟିରେ ରଖି ବଜାର ଓ ବିଭିନ୍ନ ଜନଗହଳିପୂର୍ଣ୍ଣ ଛକରେ ପୋଲିସ ଫୋର୍ସ ମୁତୟନ କରାଯାଇଛି। ବିଭିନ୍ନ ସମୟରେ ଗାଁ ଭିତରକୁ ପିସିଆର୍‌ ଭ୍ୟାନ୍‌ ପଶି ପରିସ୍ଥିତି ରାଜ୍ୟ ତଥା ଦେଶ ବାହାରୁ ଆସୁଥିବା ବ୍ୟକ୍ତିଙ୍କ ଉପରେ ନଜର ରଖାଯାଉଛି ବୋଲି ଥାନାଅଧିକାରୀ ପ୍ରଶାନ୍ତ କୁମାର ବେହେରା ପ୍ରକାଶ କରିଛନ୍ତି।