ଲକ୍‌ଡାଉନ୍‌ ନ ମାନି ୪ ଗିରଫ

ଦାରିଙ୍ଗବାଡ଼ି,୨୯।୩(ଡି.ଏନ୍‌.ଏ.): କରୋନା ସଂକ୍ରମଣ ରୋକିବା ନେଇ ସରକାର ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏଥିପାଇଁ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଏବଂ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ପୋଲିସ ପକ୍ଷରୁ କଡ଼ାକଡ଼ି ଭାବେ ପାଟ୍ରୋଲିଂ କରାଯିବା ସହ ଦୁଇ ଥାନାର ପୋଲିସ ଏବେ କଠୋର ହୋଇପଡ଼ିଛି। ଯେଉଁଠି ଲକ୍‌ଡାଉନ୍‌ ଖିଲାପ ହେଉଛି ସେଠି ଗିରଫ କରିବା ସହ କିଛି ସ୍ଥାନରେ ଅମାନିଆ ଗ୍ୟାଙ୍ଗର ଏକ ପୋଷ୍ଟର କରି ସେମାନଙ୍କୁ ସେଠାରେ ଠିଆ କରାଯାଉଛି। ସେହିପରି ସେମାନେ ବ୍ୟବହାର କରୁଥିବା ଗାଡ଼ିକୁ ପୋଲିସ ସମାନ ଢଙ୍ଗରେ ହିନସ୍ତିଆ ଗାଡ଼ି ପୋଷ୍ଟର କରି ଉକ୍ତ ଗାଡ଼ିଗୁଡ଼ିକ ସେଠାରେ ରଖି ତାଙ୍କ ଫଟୋକୁ ସୋସିଆଲ ମିଡିଆରେ ଛାଡ଼ି ଲଜ୍ଜିତ କରୁଛି। ଏଭଳି ଢଙ୍ଗରେ ଯେଉଁମାନେ ଲଜ୍ଜିତ ହୋଇ ମଧ୍ୟ ବାହାରେ ବୁଲାବୁଲି କରୁଛନ୍ତି ସେମାନଙ୍କୁ ଗିରଫ କରୁଛି। ଦାରିଙ୍ଗବାଡ଼ି ଥାନା କିରୁକୁଟି ଅଞ୍ଚଳରେ ଏଭଳି ବୁଲାବୁଲି କରୁଥିବା ୪ ଜଣଙ୍କୁ ଗିରଫ କରାଯାଇଥିବା ଦାରିଙ୍ଗବାଡ଼ି ଆଇଆଇସି କୌଶିକ ମାଝୀ କହିଛନ୍ତି। ଗିରଫ ବ୍ୟକ୍ତିମାନେ ହେଲେ ଶ୍ରୀକାନ୍ତ ନାୟକ, ରମେଶ ନାୟକ, ନିଲାଶ ମାଝୀ, ଏବଂ ପବିତ୍ର ଦଣ୍ଡସେନା ।କନ୍ଧମାଳ ଏସ୍‌ପି ପ୍ରତୀକ ସିଂ ଏବଂ ବାଲିଗୁଡ଼ା ଏସ୍‌ଡିପିଓ ମାନସ ରଞ୍ଜନ ବାରିକଙ୍କ ନିର୍ଦ୍ଦେଶ କ୍ରମେ ଏଭଳି ପଦକ୍ଷେପ ନିଆଯାଉଛି। ଜଣେ ଡିଏସ୍‌ପି ଦାରିଙ୍ଗବାଡ଼ିରେ ଏହାର ତଦାରଖ କରୁଛନ୍ତି।