ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ: ୧୦୦ରୁ ଊର୍ଦ୍ଧ୍ୱ ବାଇକ୍‌ ଜବତ

ମାଲକାନଗିରି,୧ା୪(ଡି.ଏନ୍‌.ଏ): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ଯୋଗୁ ସରକାରଙ୍କ ସମେତ ପୋଲିସ ଓ ପ୍ରଶାସନର ଚିନ୍ତା ବଢ଼ୁଛି। ହେଲେ ଏଭଳି ପରିସ୍ଥିତିରେ ମଧ୍ୟ ଲୋକେ ସଚେତନ ହେଉନାହାନ୍ତି। ଲକ୍‌ଡାଉନ୍‌ ଘୋଷଣା ପରଠାରୁ ବିଭିନ୍ନ ମାଧ୍ୟମରେ ଲୋକଙ୍କୁ ବୁଝାଯାଉଛି। ତଥାପି ଲୋକେ ବୁଝିବାକୁ ନାରାଜ। ତେଣୁ ମାଲକାନଗିରି ଏସ୍‌ପି ରଷିକେଶ ଡି ଖିଲାରି କଡ଼ା ପଦକ୍ଷେପ ନେଇଛନ୍ତି। ଏସ୍‌ପିଙ୍କ ନର୍ଦ୍ଦେଶରେ ବୁଧବାର ସହରରେ ଅନାବଶ୍ୟକଭାବେ ବୁଲୁଥିବା ୧୦୦ରୁ ଊର୍ଦ୍ଧ୍ୱ ବାଇକ୍‌ ପୋଲିସ ଜବତ କରଛି। ଲକ୍‌ଡାଉନ ନିୟମ ଉଲ୍ଲଂଘନ କଲେ ଦୈନିକ ବଜାର ମଧ୍ୟ ବନ୍ଦ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଘର ପାଖରେ ଜରୁରୀ ସାମଗ୍ରୀ ଦୋକାନ ଖୋଲା ରହୁଥିଲେ ମଧ୍ୟ ଅନେକ ଖାଉଟି ବାଇକ୍‌ ବାହାର କରି ରାସ୍ତାରେ ଭିଡ଼ ଜମାଉଛନ୍ତି। ଏଭଳି ଚାଲିଲେ ପ୍ରଶାସନ ବାଧ୍ୟ ହୋଇ ସମସ୍ତ ଦୋକାନ, ବଜାର ବନ୍ଦ କରିବ ବୋଲି ବୁଧବାର ଶେଷଥର ପାଇଁ ଡାକବାଜି ଯନ୍ତ୍ର ମାଧ୍ୟମରେ ଖାଉଟି ଓ ବ୍ୟବସାୟୀଙ୍କୁ ସୂଚାଇ ଦିଆଯାଇଛି।