ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ କରିଥିବା ଦୋକାନ ଉପରେ ଚଢ଼ାଉ

ସୋହେଲା,୧୧ା୫(ଡି.ଏନ.ଏ.): ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ କରି ଦୋକାନ ଖୋଲିବା, ମାସ୍କ ନ ପିନ୍ଧିବା ଓ ସାମାଜିକ ଦୂରତ୍ୱ ରକ୍ଷା ନ କରିବା ଅଭିଯୋଗରେ ବରଗଡ଼ ଜିଲା ପ୍ରଶାସନ ସୋମବାର ସୋହେଲାରେ ଚଢାଉ କରିଥିଲା। ପଦ୍ମପୁର ଉପଜିଲାପାଳ ତନ୍ମୟ ଦରୱାନ ଅଚାନକ ଚଢ଼ାଉ କରି ଏହିସବୁ ତ୍ରୁଟି ତୁରନ୍ତ ସୁଧାରିବାକୁ ଦୋକାନୀମାନଙ୍କୁ ତାଗିଦ୍‌ କରିଥିଲେ। ସରକାର କଟକଣାକୁ ସାମାନ୍ୟ କୋହଳ କରିବା ପରେ ଲୋକେ ନିୟମ ମାନିବାକୁ ପ୍ରସ୍ତୁତ ନାହାନ୍ତି । କଟକଣା କୋହଳ ହେବା ପରେ କେଉଁ କେଉଁ ଦୋକାନ ଖୋଲା ରହିବ ସେ ନେଇ ଜିଲା ପ୍ରଶାସନ ସୂଚିତ କରିଛନ୍ତି। ବରଗଡ଼ ଜିଲା ଗ୍ରୀନ ଜୋନରେ ରହିଥିବାରୁ ସରକାରୀ କଟକଣାକୁ ମନଇଚ୍ଛା ବେଖାତିର କରି ଲୋକେ ନିଶ୍ଚିନ୍ତରେ ଦୋକାନ ଖୋଲୁଛନ୍ତି।କରୋନା ସଂକ୍ରମଣରୁ ରକ୍ଷା ପାଇଁ ସରକାର ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦେଉଛନ୍ତି। କିନ୍ତୁ ସୋହେଲାରେ ଖୋଲା ରହୁଥିବା ଅଧିକାଂଶ ଦୋକାନରେ ଏହି ନିୟମକୁ ଖୋଲାଖୋଲି ଉଲ୍ଲଂଘନ ହେଉଥିବା ଦେଖିବାକୁ ମିଳୁଛି। ଅନେକ ଦୋକାନ ମାଲିକ ସେମାନଙ୍କ ଦୋକାନ ସାମନାରେ ବୃତ୍ତାକାର ଚିହ୍ନ ଅଙ୍କିତ ମଧ୍ୟ କରି ନ ଥିବା ଦେଖିବାକୁ ମିଳୁଛି। ସମ୍ବଲପୁର ଜିଲା କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖାରେ ଉପଜିଲାପାଳ ଚଢ଼ାଉ ବେଳେ ବ୍ୟାଙ୍କ ସମ୍ମୁଖରେ ଗ୍ରାହକମାନେ ଧାଡିରେ ରହିଥିଲେ। ଅନେକ ଗ୍ରାହକ ମୁହଁରେ ମାସ୍କ ପିନ୍ଧି ନ ଥିଲେ। ଏପରି କି ଗ୍ରାହକମାନେ ଆଦୌ ସାମାଜିକ ଦୂରତ୍ୱ ମାନୁ ନ ଥିବା ଉପଜିଲାପାଳ ଦେଖି ବିରକ୍ତି ପ୍ରକାଶ କରିଥିଲେ। ଏ ନେଇ ବ୍ୟାଙ୍କର ଶାଖା ପରିଚାଳକଙ୍କୁ ସରକାରଙ୍କ କୋଭିଡ ନିୟମାବଳୀକୁ କଡାକଡି ଭାବେ ମାନି ଚଳିବା ପାଇଁ ଉପଜିଲାପାଳ ନିର୍ଦେଶ ଦେଇଥିଲେ। ଏହା ପରେ ସୋହେଲାସ୍ଥିତ ସବ୍‌ଜେଲ ଓ ସୀମାନ୍ତ ଲୁହୁରାଚଟିରେ ପ୍ରଶାସନ ତରଫରୁ ଖୋଲାଯାଇଥିବା କ୍ୟାମ୍ପ ପରିଦର୍ଶନ କରିଥିଲେ।