ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ: ୯ ଗିରଫ, ୫ ବାଇକ୍‌ ଜବତ

ଦିଗପହଣ୍ଡି,୯ା୪(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ଦିଗପହଣ୍ଡି ସହରରେ ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ମନୋଜ ବେହେରା, ହିମାଂଶୁ ପାଣିଗ୍ରାହୀ, ଚନ୍ଦ୍ର ଶେଖର ଦୋରା, କୁନା ସାହୁ, ଆଲୋକ ନାଥ ମହାରଣା, ରମେଶ ମହାରଣା, ସମୀର ବାଡ଼ତ୍ୟା, ସଜ୍ଞନ୍ତ୍ର କୁମାର ଦାସ ଓ କବିରାଜ ବିଷୋୟୀ ସମୁଦାୟ ୯ ଜଣଙ୍କୁ ଗୁରୁବାର ପୋଲିସ ଗିରଫ କରିବା ସହ ୫ ବାଇକ ଜବତ କରିଛି। ଗିରଫ ଅଭିଯୁକ୍ତମାନଙ୍କ ନାଁରେ କେସ୍‌ ନଂ.୭୪/୨୦ରେ ଏକ ମାମଲା ରୁଜୁ କରାଯାଇଥିବା ଆଇଆଇସି ବସନ୍ତ କୁମାର ସେଠୀ କହିଛନ୍ତି।
ତଦନ୍ତକାରୀ ପୋଲିସ ଅଧିକାରୀ ଏସ୍‌ଆଇ ମଧୁସ୍ମିତା ପ୍ରଧାନଙ୍କ ସୂଚନାନୁସାରେ ଗୁରୁବାର ପୂର୍ବାହ୍ନରେ ଅଭିଯୁକ୍ତମାନେ ସ୍ଥାନୀୟ ପୁଞ୍ଜିକଁୟା ଛକ ଓ ଜନତା ଲେନ୍‌ଠାରେ ସାମାଜିକ ଦୂରତ୍ୱ ରକ୍ଷା ନ କରି ଲକ୍‌ଡାଉନ୍‌ ନିୟମ ଭଙ୍ଗ କରିଥିଲେ। ଖବର ପାଇ ଆଇଆଇସି ସଦଳବଳ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଥାନାକୁ ଉଠାଇ ଆଣିଥିଲେ। ଏଏସ୍‌ଆଇ ବି.ଲଛ୍‌ମେୟା ରେଡ୍ଡୀଙ୍କ ଏତଲା କ୍ରମେ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।