ଲକ୍‌ଡାଉନ୍‌ ଦୁର୍ଦ୍ଦଶାକୁ ମାଇକ୍ରୋଫାଇନାନ୍ସ ଋଣ ଚାପ: ଜିଲାପାଳଙ୍କ ନିକଟରେ ମହିଳାଙ୍କ ଅଭିଯୋଗ

ବାଲେଶ୍ୱର ଅଫିସ, ୩୦।୫-ରାଜ୍ୟରେ ମହିଳାମାନଙ୍କୁ ସଶକ୍ତ କରିବା ଲକ୍ଷ୍ୟ ନେଇ ରାଜ୍ୟ ଓ କେନ୍ଦ୍ର ସରକାର ବହୁ ମାଇକ୍ରୋ ଫାଇନାନ୍ସ ସଂସ୍ଥାକୁ ଅର୍ଥ କାରବାର କରିବା ପାଇଁ ଅନୁମତି ଦେଇଥିଲେ। କରୋନା ମହାମାରୀ ଯୋଗୁ ସାରା ଦେଶ ଲକ୍‌ଡାଉନ୍‌ ହେବା ପରେ ବିଭିନ୍ନ ବର୍ଗର ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିପଡ଼ିଛି। ଅନେକେ ନିଜର ପେସାକୁ ମଧ୍ୟ ହରାଇ ବସିଛନ୍ତି। ଏହି ସମୟରେ ଆର୍‌ବିଆଇଙ୍କ ନିର୍ଦ୍ଦେଶ ଅନୁସାରେ ପ୍ରଥମ ପର୍ଯ୍ୟାୟରେ ୩ ମାସ ଓ ପରେ ପୁଣି ୩ମାସ ଅଗଷ୍ଟ ପର୍ଯ୍ୟନ୍ତ ଇଏମ୍‌ଆଇ (ମାସିକ କିସ୍ତି) ଦେବାରେ ଇଚ୍ଛାଧୀନ କରିଛନ୍ତି। କିନ୍ତୁ ବିଭିନ୍ନ ଫାଇନାନ୍ସ କମ୍ପାନୀର କର୍ମକର୍ତ୍ତାମାନେ ଆର୍‌ବିଆଇର ନିର୍ଦ୍ଦେଶକୁ ଅବମାନନା କରି ଗ୍ରାମରେ ପହଞ୍ଚତ୍ ମହିଳାମାନଙ୍କ ନିକଟରୁ ମାସିକ କିସ୍ତି ଆଦାୟ ନିମନ୍ତେ ବାଧ୍ୟ କରୁଥିବା ଶୁକ୍ରବାର ବାଲେଶ୍ୱର ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ନିକଟରେ ଲିଖିତ ଭାବେ ଅଭିଯୋଗ ହୋଇଛି।
ବାଲେଶ୍ୱର ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ଅଦ୍ୟାବଧି ଜିଲା ରେଡ୍‌ଜୋନ୍‌ରେ ରହିଛି। ଲୋକମାନେ ମହାମାରୀରୁ ବିପଦମୁକ୍ତ ହୋଇନାହାନ୍ତି। ଅଧିକାଂଶ ଲୋକ ପର ଘରେ ବାସନ ମାଜି ପେଟ ପୋଷୁଥିବା ବେଳେ ଲୁଗା ଦୋକାନ, ତେଲଭାଜି, ଚା’, ପାନ ଦୋକାନ, ଅଟୋଚାଳକ ଓ ଦିନ ମଜୁରିଆଙ୍କ ସହିତ ଛୋଟବଡ଼ କମ୍ପାନୀରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କ ସ୍ତ୍ରୀ ମଧ୍ୟ ଅଟନ୍ତି। ଏସବୁ କାମଧନ୍ଦା ବନ୍ଦ ଥିବା ବେଳେ ନିକଟରେ ଯାଇଥିବା ବାତ୍ୟା ଅମ୍ଫନ ଅଧିକ ଦୁଃଖଦ ଅବସ୍ଥା ଆଣିଦେଇଛି। ଲୋକେ ଜୀବନମରଣ ସମସ୍ୟା ଭିତରେ ଗତି କରୁଥିବା ବେଳେ ମାଇକ୍ରୋ ଫାଇନାନ୍ସର ଅଧିକାରୀମାନେ ମାସିକ ଋଣ କିସ୍ତି ପରିଶୋଧ କରିବା ପାଇଁ ବାଧ୍ୟ କରି ମାନସିକ ନିର୍ଯାତନା ଦେଉଛନ୍ତି। ଏଭଳି ସଙ୍କଟରୁ ରକ୍ଷା କରିବା ପାଇଁ ପ୍ରଧାନମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଛ। ସବିତା ମୁର୍ମୁ, ମୁନି ବାସ୍କେ, ବାସନ୍ତୀ ମାସନ୍ତ, ପାର୍ବତୀ ସୋରେନ, ଝରଣା ମୁଦୁଲି, ସାବିତ୍ରୀ ପରିଡ଼ା ପ୍ରମୁଖଙ୍କ ନେତୃତ୍ୱରେ ବହୁ ମହିଳା ଉପସ୍ଥିତ ଥିଲେ।