Categories: ଫୁରସତ

ଲକ୍‌ଡାଉନ୍‌ରେ ଗ୍ରାଣ୍ଡ୍‌ ପାର୍ଟି: ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ

ବେଳେବେଳେ ଏମିତି କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୁଏ, ଯାହା ଦେଖିଲେ ଆଶ୍ଚର୍ଯ୍ୟ ଲାଗେ। ଏବେ ଏପରି ଏକ ଭିଡିଓ ଭାଇରାଲ ହୋଇଛି। କରୋନା ଯୋଗୁ ବିଶ୍ୱର ଅଧିକାଂଶ ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି। ଯଦିଓ ଅନେକ ସ୍ଥାନରେ କୌଣସି ପ୍ରତିବନ୍ଧକ ନାହିଁ ତଥାପି ଲୋକେ ସାମାଜିକ ଦୂରତା ଅବଲମ୍ବନ କରୁଛନ୍ତି।
ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି, ଲୋକେ ଖୁବ୍‌ ଆଡ଼ମ୍ବର ସହକାରେ ଗ୍ରାଣ୍ଡ୍‌ ପାର୍ଟିର ଆୟୋଜନ କରିଛନ୍ତି। ଏଥିରେ ସାମାଜିକ ଦୂରତା ମଧ୍ୟ ବଜାୟ ରହିଛି। ବହୁ ସଂଖ୍ୟକ ଲୋକ ଏକ ବ୍ରିଜ୍‌ ତଳେ ଏକାଠି ଡ୍ୟାନ୍ସ କରୁଛନ୍ତି। ସାଧାରଣତଃ ଡ୍ୟାନ୍ସ ସମୟରେ ଲୋକେ ପରସ୍ପର ନିକଟତର ହୋଇଥାନ୍ତି। କିନ୍ତୁ ଏଠାରେ ବେଶ୍‌ ସଚେତନତା ଅବଲମ୍ବନ କରାଯାଇଛି। କରୋନାରୁ ରକ୍ଷା ପାଇବା ପାଇଁ ୧ ମିଟର ଦୂରତା ରକ୍ଷା କରିବାକୁ କୁହାଯାଉଥିବାରୁ ଏଠାରେ ଦଉଡ଼ି ସାହାଯ୍ୟରେ ଅନେକ ବର୍ଗକ୍ଷେତ୍ର ତିଆରି କରାଯାଇଛି। ଯେଉଁଥିରେ ଲୋକମାନେ ସାମାଜିକ ଦୂରତାକୁ ଦୃଷ୍ଟିରେ ରଖି ଡ୍ୟାନ୍ସ କରୁଛନ୍ତି। ଏହି ପାର୍ଟିରେ ଉଭୟ ପୁରୁଷ ଓ ମହିଳା ସାମିଲ ଅଛନ୍ତି। ଏହି ଭିଡିଓ କେଉଁଠୁ ଆସିଛି ସେ ସମ୍ବନ୍ଧରେ କୌଣସି ସୂଚନା ନାହିଁ। କିନ୍ତୁ ଏହାକୁ ନେଦରଲ୍ୟାଣ୍ଡର ଜଣେ ବ୍ୟକ୍ତି ଟୁଇଟର୍‌ରେ ଶେୟାର କରିଛନ୍ତି। ସେ କ୍ୟାପଶନରେ ଲେଖିଛନ୍ତି, ‘ନୂଆ ଦୁନିଆକୁ ସ୍ବାଗତ’।

ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୬୭ ହଜାର ଲୋକ ଦେଖିଥିବାବେଳେ ୪୫୦ରୁ ଅଧିକ ଲୋକ ପସନ୍ଦ କରିଛନ୍ତି ଏବଂ ୨୦୦ରୁ ଅଧିକ ଲୋକ ପ୍ରତିକ୍ରିୟା ଦେଇଛନ୍ତି।
ଏକ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ସାରା ବିଶ୍ୱରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୫୮ ହଜାରରୁ ଅଧିକ ହୋଇଥିବାବେଳେ ୫୭ଲକ୍ଷ ୮୯ହଜାରରୁ ଅଧିକ ସଂକ୍ରମିତ ହୋଇଛନ୍ତି। ପ୍ରାୟ ୨୫ ଲକ୍ଷ ଲୋକ ଏହି ରୋଗରୁ ଆରୋଗ୍ୟ ଲାଭ କରିଛନ୍ତି। ଆମେରିକାରେ ଏପର୍ଯ୍ୟନ୍ତ ସର୍ବାଧିକ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସେଠାରେ ମୃତ୍ୟୁସଂଖ୍ୟା ୧ ଲକ୍ଷ ଟପିଥିବା ବେଳେ ୧୭ ଲକ୍ଷରୁ ଅଧିକ ସଂକ୍ରମିତ ହୋଇଛନ୍ତି।

Share