ଲକ୍‌ଡାଉନକୁ କଡ଼ାକଡ଼ି କଲେ ତହସିଲଦାର

ବନ୍ତ, ୯।୪(ଡି.ଏନ.ଏ.)-କରୋନା ମହାମାରୀ ସାରା ବିଶ୍ୱକୁ ଭୟଙ୍କର ପରିସ୍ଥିତିକୁ ଟାଣି ନେଇଥିବା ବେଳେ କେନ୍ଦ୍ର ଓ ରାଜ୍ୟ ସରକାର ଏହାକୁ ରୋକିବା ପାଇଁ ସମଗ୍ର ଦେଶକୁ ଲକଡାଉନ୍‌ କରିଛନ୍ତି । ସମସ୍ତ ଜନସାଧାରଣଙ୍କୁ ଘରେ ରହିବାକୁ ଅନୁରୋଧ କରାଯିବା ସହ ବିନା କାରଣରେ ବାହାରେ ବୁଲାବୁଲି କରୁଥିବା ବ୍ୟକ୍ତିଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଭଦ୍ରକ ଜିଲା ବନ୍ତ ବ୍ଲକରେ ତହସିଲଦାର ଇନ୍ଦିରା ସାହୁ ଲକ୍‌ଡାଉନ ଆଇନକୁ କଡାକଡି କରିବାକୁ ପଦକ୍ଷେପ ନେଇଛନ୍ତି। ବନ୍ତ ସଦର ମହକୁମା ସମେତ ଆଗରପଡା, କେନ୍ଦୁଆପଦା, ଗଣିଜାଙ୍ଗ ଭଳି ମୁଖ୍ୟ ବଜାର ଅଞ୍ଚଳ ପରିଦର୍ଶନ କରି ଆଇନ ଉଲ୍ଲଂଘନକାରୀଙ୍କ ଉପରେ କଡା ପଦକ୍ଷେପ ଗ୍ରହଣ କରୁଥିବା ଦେଖାଯାଉଛି। ଗୁରୁବାର ସକାଳଠାରୁ ବନ୍ତସ୍ଥିତ କେନ୍ଦୁଆପଦା ଛକରେ ସେ ନିଜେ ଛିଡା ହୋଇ ଆଇନ ଉଲ୍ଲଂଘନକାରୀଙ୍କ ଉପରେ ନଜର ରଖିଛନ୍ତି । ବିନାକାରଣରେ ବାହାରକୁ ବାହାରିଥିବା, ମାସ୍କ ବ୍ୟବହାର କରି ନ ଥିବା ଏବଂ ବାଇକ୍‌ କିମ୍ବା ଚାରିଚକିଆଯାନ ଚାଳକଙ୍କ ଉପରେ ଆକ୍ସନ୍‌ ନେଉଛନ୍ତି । ଅପରପକ୍ଷେ ମଙ୍ଗଳବାରଠାରୁ ବାଇକ୍‌, ଚାରିଚକିଆଯାନ ଉପରେ କଟକଣା ଲାଗୁ ହେବା ପରେ ଗୁରବାରଠାରୁ ରାସ୍ତାରେ ବାଇକ୍‌, ଚାରିଚକିଆଯାନ ଚଳାଚଳ ଏକପ୍ରକାର ଠପ୍‌ ହୋଇଯାଇଛି । ଅତ୍ୟାବଶ୍ୟକ ସାମଗ୍ରୀ ଓ ଡାକ୍ତରଖାନାକୁ ଯାଉଥିବା ଲୋକଙ୍କ ପାଇଁ ଆଇନକୁ କୋହଳ କରାଯାଇଛି।