Categories: ଭଦ୍ରକ

ଲକ୍ଷ୍ମୀପୂଜା ପାଇଁ ଚଳଚଞ୍ଚଳ ସିନ୍ଦୋଳ

ତିହିଡ଼ି, ୧୨।୧୦ (ଡି.ଏନ.ଏ.) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ସିନ୍ଦୋଳ ପଞ୍ଚାୟତର ନୂଆପାଟଣା ଓ ସିନ୍ଦୋଳରେ ‘ଲକ୍ଷ୍ମୀ, ସରସ୍ବତୀ ଓ ନାରାୟଣ’ଙ୍କ ପୂଜା କୁମାର ପୂର୍ଣ୍ଣିମାଠାରୁ ଆରମ୍ଭ ହେବ। ଏଥିପାଇଁ ସିନ୍ଦୋଳ ପଞ୍ଚାୟତ ସମେତ ଆଖପାଖ ଗଁ।ଗୁଡ଼ିକ ଚଳଚଞ୍ଚଳ ହୋଇଉଠିଛି। ନୂଆପାଟଣାରେ ଛେରାପହଁରା ସାଙ୍ଗକୁ ନେତ୍ରପଣା ନିଆରା ପରମ୍ପରା ହୋଇଥିବା ବେଳେ ମନ୍ଦିରରେ ଲକ୍ଷ୍ମୀ ନାରାୟଣ ଓ ସରସ୍ବତୀ ଏକ ସାଙ୍ଗରେ ପୂଜା ପାଇଥାନ୍ତି। ପ୍ରତିବର୍ଷ ପରି ଚଳିତବର୍ଷ ପୂଜା ମଣ୍ଡପ ନିକଟରେ ମିନାବଜାର, ରାମଦୋଳି ସାଙ୍ଗକୁ ବିଭିନ୍ନ ପ୍ରକାର ଦୋକାନ ବଜାରର ପସରା ମେଲିବେ। ସେହିପରି ପ୍ରତ୍ୟହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ପାଲା ଓ ଅପେରା ପାର୍ଟି ଯାତ୍ରା ପରିବେଷଣ କାର୍ଯ୍ୟକ୍ରମ ରହିଛି।
ଉଲ୍ଲେଖନୀୟ ଯେ, ୧୯୨୨ରୁ ପ୍ରଥମେ ନୂଆପାଟଣା ଗଁା ଓ ଆଖପାଖ ଲୋକଙ୍କ ସହଯୋଗରେ ମୃଣ୍ମୟ ମୂର୍ତ୍ତି ତିଆରି କରାଯାଇ ‘ଲକ୍ଷ୍ମୀ ନାରାୟଣ’ ପୂଜା ହୋଇଆସୁଥିଲା। ୨୦୦୫ଠାରୁ ଗ୍ରାମରେ ସ୍ଥାୟୀ ମନ୍ଦିର ନିର୍ମାଣ କରାଯାଇ ପ୍ରସ୍ତର ବିଗ୍ରହ ସ୍ଥାପନ ପୂର୍ବକ ୭ଦିନ ଧରି ଧୁମ୍‌ଧାମ୍‌ରେ ପୂଜାର୍ଚ୍ଚନା କରାଯାଉଛି। ନାରାୟଣ ପୂଜା ନାମରେ ସ୍ଥାନୀୟ ଅଞ୍ଚଳରେ ଏହା ଏକ ଗଣପର୍ବ। ଡାକୁଆ ଠାକୁର ଭାବେ ପରିଚିତ ଲାଭ କରିଛନ୍ତି ନୂଆପାଟଣା ଗଁାର ଲକ୍ଷ୍ମୀନାରାୟଣ। ପୁରୀରେ ଠାକୁର ରାଜା ରଥରେ ଛେରାପହଁରା କରୁଥିବା ବେଳେ ଏଠାରେ କୁମାରପୂର୍ଣ୍ଣିମା ସନ୍ଧ୍ୟାରେ ଶତାଧିକ ପୁରୁଷ ଓ ମହିଳା ଶ୍ରଦ୍ଧାଳୁ ନିଜର ମାନସିକ ପୂରଣ ପାଇଁ ବିଜେ କଳସ ଆଗରେ ଛେରାପହଁରା କରନ୍ତି। ମାନପଣ୍ଡା ପୋଖରୀଠାରୁ ନୂଆପାଟଣା ଗ୍ରାମ ପ୍ରାୟ ୨ କି.ମି. ରାସ୍ତା ଛେରାପହଁରା କରାଯାଏ। ସେହିପରି ନେତ୍ରୋତ୍ସବରେ ନେତ୍ରପଣା ଭୋଗ ପାଇଁ ଭକ୍ତଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳେ। ଏଠାରେ ଦୀର୍ଘ ୯୮ ବର୍ଷ ହେଲା କୁମାରପୂର୍ଣ୍ଣିମାରେ ଲକ୍ଷ୍ମୀନାରୟଣ ପୂଜା ମହାସମାରୋହରେ ପାଳିତ ହୋଇଆସୁଛି। ବ୍ଲକର ଛୋଟବଡ଼ ଅନୁଷ୍ଠାନ ଉଦ୍ୟମରେ ପ୍ରତିବର୍ଷ ପାଳିତ ହେଉଛି ଲକ୍ଷ୍ମୀନାରାୟଣ ପୂଜା। ଭଦ୍ରକ-ଚାନ୍ଦବାଲି ରାସ୍ତାପାର୍ଶ୍ୱରେ ସିନ୍ଦୋଳଠାରେ ଅନ୍ୟ ଏକ ଅନୁଷ୍ଠାନ ୧୯୭୫ରୁ ଏହି ପର୍ବ ପାଳନ କରି ଆସୁଛି। ଅବିଭକ୍ତ ସିନ୍ଦୋଳ ପଞ୍ଚାୟତର କନାଟିଆ ଗ୍ରାମରେ ସ୍ବର୍ଗତ ଗୋଲକ ପ୍ରସାଦ ଲେଙ୍କାଙ୍କ ବ୍ୟକ୍ତିଗତ ଉଦ୍ୟମରେ ୧୯୬୫ରୁ ଆରମ୍ଭ ହୋଇଥିବା ଲକ୍ଷ୍ମୀନାରାୟଣ ପୂଜା ଜାକଯମକରେ ଅନୁଷ୍ଠିତ ହୋଇଆସୁଛି।