ରେଳଧାରଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣା: ୩ଦିନ ପରେ ବି ମୃତ୍ୟୁ ରହସ୍ୟ ଖୋଲିଲାନି

କଣ୍ଟାବାଞ୍ଜି/ଲାଠୋର, ୧୭ା୬(ଡି.ଏନ.ଏ.): ବଲାଙ୍ଗୀର ଜିଲା ହରିଶଙ୍କର ରୋଡ ରେଳଷ୍ଟେଶନ ନିକଟ ପିପଲବାହାଲଠାରେ ନିର୍ମାଣ ହେଉଥିବା ରେଳଧାରଣାର ୧୪୮/୪ ନମ୍ବର ଖୁଣ୍ଟଠାରେ ରବିବାର ଜଣେ ଯୁବକଙ୍କ ମୃତଦେହ ଜିଆରପି ଉଦ୍ଧାର କରିଥିଲା। ମୃତକ ହେଲେ ଲାଠୋର ଗ୍ରାମର ରାଜାରାମ ସୁନା (୩୫)। ଏ ନେଇ କଣ୍ଟାବାଞ୍ଜି ଜିଆରପି ଏକ ଅପମୃତ୍ୟୁ ମାମଲା (ନଂ.୨୩/୨୦) ରୁଜୁ କରି ଅନୁସନ୍ଧାନ ଜାରି ରଖିଥିଲା। ପ୍ରାଥମିକ ତଦନ୍ତରୁ ଏହା ଏକ ହତ୍ୟାକାଣ୍ଡ ବୋଲି ପୋଲିସ ସନ୍ଦେହ କରୁଥିଲେ ହେଁ ତିନିଦିନ ପରେ ବି ଅଭିଯୁକ୍ତମାନେ ଧରାପଡିନାହାନ୍ତି। ଗତ ୧୩ତାରିଖ ରାତି ପ୍ରାୟ ୧୦ଟା ୩୦ରେ ରାଜାରାମଙ୍କର କେହି ଜଣେ ସାଙ୍ଗ ତାଙ୍କୁ ଘରୁ ଡାକି ନେଲା ପରେ ସେ ଆଉ ଘରକୁ ଫେରିନାହାନ୍ତି। ଏହା ପରଦିନ ସନ୍ଧ୍ୟାରେ ତାଙ୍କ ମୃତଦେହ ରେଳ ଧାରଣାରେ ପଡିଥିବା ଖବର ମିଳିଥିଲା। ଘଟଣାସ୍ଥଳକୁ ତାଙ୍କ ପରିବାର ଲୋକେ ଚିହ୍ନଟ କରିଥିଲେ। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଥିବା ଦେଖାଯାଇଥିଲା। ଏ ନେଇ କଣ୍ଟାବାଞ୍ଜି ଜିଆରପି ଏସଆଇ ମୋହନ ନାୟକଙ୍କୁ ପଚାରିବାରୁ କହିଛନ୍ତି ଯେ, ଆମେ ତଦନ୍ତ ଜାରି ରଖିଛୁ। ଖୁବଶୀଘ୍ର ଘଟଣାର ପର୍ଦ୍ଦାଫାଶ ହେବ। ଜିଆରପିର ଧିମା ତଦନ୍ତକୁ ବିଏସପି ନେତା ଲବ ସୁନା ସମାଲୋଚନା କରିଛନ୍ତି। ଯଥାଶୀଘ୍ର ଅପରାଧୀଙ୍କୁ ଧରି ପରିବାରବର୍ଗଙ୍କୁ ନ୍ୟାୟ ପ୍ରଦାନ ନ କଲେ ଜନ ଆନ୍ଦୋଳନ କରାଯିବ ବୋଲି କହିଛନ୍ତି।