ରେଖାଙ୍କିତ ଚିହ୍ନ ମଧ୍ୟରେ ଠିଆ ହୋଇ ପରିବା କିଣିବାକୁ ପରାମର୍ଶ

ପାଟପୁର,୨୬।୩(ଡି.ଏନ୍‌.ଏ.): ଦେଶରେ କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି ରାଜ୍ୟର ସମସ୍ତ ଜିଲାକୁ ଲକ୍‌ଡାଉନ୍‌ କରାଯାଇଛି। ଗଞ୍ଜାମ ଜିଲାରେ ମଧ୍ୟ ଲକ୍‌ଡାଉନ୍‌ର ପ୍ରଭାବ ଦେଖିବାକୁ ମିଳିଛି। ଧାର୍ଯ୍ୟ ହୋଇଥିବା ସମୟରେ ଜନସାଧାରଣ ବଜାରକୁ ଆସି ଅତ୍ୟାବଶ୍ୟକ ସାମଗ୍ରୀ କିଣି ଘରକୁ ଫେରୁଛନ୍ତି। ଜିଲାରେ ସକାଳୁ ୧୨ଟା ପର୍ଯ୍ୟନ୍ତ କିଣାବିକା ପାଇଁ ଅନୁମତି ଦିଆଯାଇଛି। ଏହାପରେ ପୋଲିସ କଡ଼ା ଆଭିମୁଖ୍ୟ ଗ୍ରହଣ କରୁଛି। ପାଟପୁର ଥାନା ପୋଲିସ ପକ୍ଷରୁ ସହରରେ ଥିବା ରାଶନ, ଫଳ ଓ ପରିବା ଦୋକାନଗୁଡିକର ଭିଡ଼ ନିୟନ୍ତ୍ରଣ କରି ସତର୍କତା ଅବଲମ୍ବନ କରିବାକୁ ପଦକ୍ଷେପ ନିଆଯାଇଛି। ପ୍ରତି ଦୋକାନ ସମ୍ମୁଖରେ ରେଖାଙ୍କିତ ଚିହ୍ନ ମଧ୍ୟରେ ଠିଆହୋଇ ଆବଶ୍ୟକ ରାଶନ କିଣିବା ପାଇଁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ଦୋକାନ ସମ୍ମୁଖରେ ଅଯଥା ଭିଡ଼ ନ କରି ପରସ୍ପର ମଧ୍ୟରେ ସମଦୂରତା ରକ୍ଷାକରି ଜଣଙ୍କ ପରେ ଜଣେ ଦୋକାନକୁ ଯାଇ ଆବଶ୍ୟକ ସାମଗ୍ରୀ କିଣିବା ଲାଗି ପାଟପୁର ପୋଲିସ ପକ୍ଷରୁ ସଚେତନ କରାଯାଇଛି।