Categories: ବାଣିଜ୍ୟ

ରେକର୍ଡ ୪୦ ହଜାର ଛୁଇଁ ସେନ୍‌ସେକ୍ସ ଖସିଲା

ମୁମ୍ବାଇ,୨୪-୫: ସାତଟି ପର୍ଯ୍ୟାୟରେ ସାଧାରଣ ନିର୍ବାଚନ ଶେଷ ହେବା ପରେ ଗୁରୁବାର ଗଣନା ଆରମ୍ଭ ହୋଇଥିଲା। ଏନ୍‌ଡିଏ ସଂଖ୍ୟାଗରିଷ୍ଠତା ହାସଲ କରିିବାକୁ ଯାଉଥିବା ମନେହେବା ପରେ ମୁମ୍ବାଇ ଷ୍ଟକ୍‌ ଏକ୍ସଚେଞ୍ଜରେ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା। ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ) ସେନ୍‌ସେକ୍ସ ପ୍ରଥମଥର ୪୦ ହଜାରର ଐତିହାସିକ ସ୍ତର ଅତିକ୍ରମ କରିଥିଲା। ପୂର୍ବାହ୍ନରେ ସେନ୍‌ସେକ୍ସ ରେକର୍ଡ ୪୦,୧୨୪.୯୬ ସ୍ତରରେ ପହଞ୍ଚତ୍ଥିଲା। ସେହିପରି ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜରେ ନିଫ୍ଟି ବୃଦ୍ଧି ପାଇ ୧୨,୦୪୧.୧୫ ହୋଇଥିଲା। ମୋଦି ସରକାର ପୁନର୍ବାର କ୍ଷମତାକୁ ଫେରୁଥିବା ମନେ କରି ନିବେଶକମାନେ ଆଶ୍ୱସ୍ତ ହୋଇ ଷ୍ଟକ୍‌ ମାର୍କେଟରେ ଅଧିକ ନିବେଶ କରୁଥିବା ପରିଲକ୍ଷିତ ହୋଇଥିଲା। ତେବେ ଦିନର ଶେଷାର୍ଦ୍ଧରେ ନିବେଶକମାନେ ଲାଭ ଉଠାଇବା ଶ୍ରେୟସ୍କର ମନେ କରି ବିକ୍ରି ଜାରି ରଖିବାରୁ ବଜାର ବନ୍ଦ ହେବା ବେଳକୁ ସେନ୍‌ସେକ୍ସ ୨୯୮.୮୨ ପଏଣ୍ଟ ହ୍ରାସ ପାଇ ୩୮,୮୧୧.୩୯ରେ ପହଞ୍ଚତ୍ଥିଲା। ସେହିପରି ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ ନିଫ୍ଟି ୮୦.୮୫ ପଏଣ୍ଟ କମିଥିଲା ଏବଂ ଶେଷରେ ୧୧,୬୫୭.୦୫ରେ ବନ୍ଦ ହୋଇଥିଲା। ବଜାର ବନ୍ଦ ହେବା ବେଳକୁ ସେନ୍‌ସେକ୍ସର ୧୫ ଶେୟାର ବଢ଼ିଥିବା ବେଳେ ୧୬ ହ୍ରାସ ପାଇଥିଲା। ଅନୁରୂପ ଭାବେ ନିଫ୍ଟିରେ ୨୩ ଶେୟାର ବୃଦ୍ଧି ପାଇଥିବାବେଳେ ୨୭ ହ୍ରାସ ପାଇଥିଲା। ବିଶେଷ କରି ବ୍ୟାଙ୍କିଙ୍ଗ ସେକ୍ଟରରେ ଅଧିକ ନିବେଶ ହେଉଥିବାର ଦେଖାଯାଇଛି। ଏହାବ୍ୟତିତ ଅଟୋମୋବାଇଲ କମ୍ପାନୀ ଶେୟାର ପ୍ରତି ସେମାନଙ୍କ ଆଗ୍ରହ ଥିବା ମନେହେଉଛି। ବିଏସ୍‌ଇରେ ବିଶେଷ କରି ଇଣ୍ଡସଇଣ୍ଡ ବ୍ୟାଙ୍କ(୫.୨୩%), କୋଲ୍‌ ଇଣ୍ଡିଆ(୧.୫୬%), ପାଓ୍ବାରଗ୍ରିଡ(୧.୨୯%), ୟେସ୍‌ ବ୍ୟାଙ୍କ(୧.୫୩%), ହୀରୋ ମୋଟୋକର୍ପ(୧.୫୧%) ବୃଦ୍ଧି ପାଇଛି। ତେବେ ବେଦାନ୍ତ ଲିମିଟେଡ ଶେୟାର ୫.୫୩%, ଆଇଟିସି ୩.୬୯%,ଏଚ୍‌ଡିଏଫ୍‌ସି ବ୍ୟାଙ୍କ ୨.୯୪%, ଟାଟା ମୋଟର୍ସ୨.୪୮% ଏବଂ ବଜାଜ ଫାଇନାନ୍ସ ୨.୦୨% ଶୀର୍ଷ ଶେୟାର ଭାବେ ହ୍ରାସ ପାଇଛି।

Share