ରୁମାଗଡ଼ ଗ୍ରାମକୁ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଘୋଷଣା କଲା ଜିଲା ପ୍ରଶାସନ

ପୋଲସରା,୪ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୋଲସରା ବ୍ଲକ ଅନ୍ତର୍ଗତ ରୁମାଗଡ଼ ଗ୍ରାମକୁ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଭାବେ ଘୋଷଣା କରିଛି ଜିଲା ପ୍ରଶାସନ। ଉକ୍ତ ଗ୍ରାମରେ ଜଣେ ମହିଳାଙ୍କ ପଜିଟିଭ୍‌ ଆସିଥିଲା। ପରେ ସଂପୃକ୍ତ ପରିବାରର ଅନ୍ୟ ୪ ଜଣଙ୍କର ପଭିଟିଭ୍‌ ଆସିଥିଲା। ଯାହାକୁ ନେଇ ରୁମାଗଡ଼ ଗ୍ରାମକୁ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଭାବେ ଘୋଷଣା କରାଯାଇଛି। ଗ୍ରାମର ପ୍ରତ୍ୟେକ ପ୍ରବେଶ ପଥକୁ ରାତି ଅଧିଆ ସିଲ୍‌ କରିଛି ପୋଲସରା ପୋଲିସ। ଗୋଷ୍ଠୀ ସଂକ୍ରମଣକୁ ଦୃଷ୍ଟିରେ ରଖି ରୁମାଗଡ଼ ଗ୍ରାମକୁ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଭାବେ ଘୋଷଣା କରାଯିବା ପରେ ଜରୁରିକାଳୀନ ସାମଗ୍ରୀ ଗ୍ରାମରେ ଯୋଗାଇ ଦେବା ଲାଗି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ନେଇ ପୋଲସରା ବିଡିଓ ଶମ୍ଭୁନାଥ ନନ୍ଦୀ ସୂଚନା ପ୍ରଦାନ କରିଛନ୍ତି। ଏଥିସହ ରୁମାଗଡ଼ ପଞ୍ଚାୟତର ଖପରାଗଣ୍ଡା, କନ୍ଧପଲ୍ଲୀ ଓ ଭାଟଖାଲି ଗ୍ରାମକୁ ବଫର ଜୋନ୍‌ ଭାବେ ଘୋଷଣା କରାଯିବା ସହ ସମସ୍ତ ଗ୍ରାମକୁ ସତର୍କତା ଅବଲମ୍ବନ କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ କଡ଼ା ନିର୍ଦ୍ଦେଶ ଜାରି ହୋଇଛି। ଠିକ୍‌ ସେହିପରି ମାଳତେନ୍ତୁଳିଆ ପଞ୍ଚାୟତରେ ୩ଟି ପଜିଟିଭ୍‌ ଚିହ୍ନଟ ହେବା ପରେ ସମ୍ପୃକ୍ତ ପଞ୍ଚାୟତକୁ ଗୁରୁବାର ଠାରୁ୪୮ ଘଣ୍ଟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ଶଟ୍‌ଡାଉନ୍‌ ଘୋଷଣା କରାଯାଇଥିବା ବ୍ଲକ ବିଜେଡି କୋଷାଧ୍ୟକ୍ଷ ପ୍ରତାପ ଚନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।