Categories: ଜାତୀୟ

ରିୟଲିଟି ଶୋ’ରେ ପିଲାଙ୍କୁ ଅନୁପଯୁକ୍ତ ପ୍ରଦର୍ଶନ କରନାହିଁ

ନୂଆଦିଲ୍ଲୀ,୧୯ା୬: ନୃତ୍ୟଭିତ୍ତିକ ରିୟଲିଟି ଶୋ’ଗୁଡ଼ିକରେ ଶିଶୁମାନଙ୍କୁ ଉପଯୁକ୍ତ ଭାବେ ଉପସ୍ଥାପନ କରିବା ପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦେଶର ଘରୋଇ ଟିଭି ଚ୍ୟାନେଲଗୁଡ଼ିକୁ ପରାମର୍ଶ ଦେଇଛି। ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର ଜାରି ଆଡ୍‌ଭାଇଜରିରେ ଉଲ୍ଲେଖ କରାଯାଇଛି ଯେ, ନୃତ୍ୟଭିତ୍ତିକ ଅନେକ ରିୟଲିଟି ଟିଭି ଶୋ’ରେ ଛୋଟ ପିଲାଙ୍କ ଡ୍ୟାନ୍ସ ମୂଳତଃ ଫିଲ୍ମ ଓ ଅନ୍ୟ ଲୋକପ୍ରିୟ ମନୋରଞ୍ଜନ କାର୍ଯ୍ୟକ୍ରମରେ ବୟସ୍କଙ୍କ ଅଭିନୟରୁ ଅନୁକରଣ କରାଯାଉଛି। ଉକ୍ତ ଫିଲ୍ମଗୁଡ଼ିକ ଅଧିକାଂଶ ସମୟରେ ସ୍ବଳ୍ପବୟସ୍କ ପିଲାଙ୍କ ପାଇଁ ଅନୁପଯୁକ୍ତ ବୋଲି କୁହାଯାଉଛି। ଏଭଳି ଦୃଶ୍ୟ ଛୋଟପିଲାଙ୍କ ଉପରେ କୁପ୍ରଭାବ ପକାଉଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏଥିସକୋଶ ନୃତ୍ୟ ରିୟଲିଟି ଶୋ ପ୍ରଦର୍ଶନ ବେଳେ ପିଲାଙ୍କୁ ଉପଯୁକ୍ତ ଭାବେ ପ୍ରଦର୍ଶିତ କରାଯିବା ଦରକାର। ଏହାସହ ସର୍ବାଧିକ ସଂଯମ ଅବଲମ୍ବନ କରି ସମ୍ବେଦନଶୀଳତା ଓ ସତର୍କତା ଆପଣାଇବା ଜରୁରୀ। ସମସ୍ତ ଘରୋଇ ସାଟେଲାଇଟ୍‌ ଟିଭି ଚ୍ୟାନେଲକୁ ଏସଂକ୍ରାନ୍ତ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। କେବୁଲ୍‌ ଟେଲିଭିଜନ୍‌ ନେଟ୍‌ଓ୍ବର୍କ୍ସ (ରେଗୁଲେଶନ୍‌) ଆକ୍ଟ, ୧୯୯୫ ଏବଂ ଏ ସମ୍ପର୍କିତ ନିୟମ ଅଧୀନ ପ୍ରୋଗ୍ରାମ୍‌ ଆଣ୍ଡ ଆଡ୍‌ଭର୍ଟାଇଜିଂ କୋଡ୍‌ସକୁ ଦେଶର ସବୁ ଘରୋଇ ଚ୍ୟାନେଲ ଅନୁପାଳନ କରିବା ଜରୁରୀ। ପିଲାଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମରେ ଖରାପ ଭାଷା, ହିଂସାମତ୍କ ଦୃଶ୍ୟ ରହିବା ଅନୁଚିତ ବୋଲି ଏଥିରେ ପରାମର୍ଶ ଦିଆଯାଇଛି।

Share