Categories: ବାଣିଜ୍ୟ

ରିଲାଏନ୍ସର ୧୦ ଲକ୍ଷ କୋଟିର ବଜାର ପଞ୍ଜୀକରଣ;କପଡା ଫ୍ୟାକ୍ଟ୍ରିରୁ ଶୀର୍ଷତ୍ୱ ଯାଏ ଯାତ୍ରା

ଗୁରୁବାର ସୂଚକାଙ୍କର ସର୍ବୋଚ୍ଚ ସ୍ତର ୪୧,୧୬୩.୭୯ ପଏଣ୍ଟ ରହିଥିଲା। ଏହି ସମୟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଦେଶର ପ୍ରଥମ କମ୍ପାନୀ ଭାବେ ୧୦ ଲକ୍ଷ କୋଟି ଟଙ୍କାର ବଜାର ପୁଞ୍ଜୀକରଣ ହାସଲ କରିଛି। ମିଡ କ୍ୟାପରେ ଏହି କମ୍ପାନୀର ପୁଞ୍ଜୀକରଣ ବୃଦ୍ଧି ଘଟି ୧୦, ୦୧, ୫୫୫.୪୨ ଲକ୍ଷ କୋଟି ଟଙ୍କା ରହିଥିବା ବିଏସ୍‌ଇ ପକ୍ଷରୁ ସୂଚନା ଦିଆଯାଇଛି।
୧୦ ଲକ୍ଷ କୋଟି ବଜାର ପୁଞ୍ଜୀକରଣ ଲାଭ କରିବାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ ଏବେ ଦେଶର ପ୍ରଥମ କମ୍ପାନୀ ଭାବେ ପରିଗଣିତ ହୋଇଛି। ଏହା ହାସଲ ଲାଗି କମ୍ପାନୀକୁ ୩୦ ବର୍ଷ ସମୟ ଲାଗିଛି। ଏକ କପଡା ଫ୍ୟାକ୍ଟ୍ରିରୁ କାରବାର ଆରମ୍ଭ କରି ଶକ୍ତି କ୍ଷେତ୍ରରେ ପ୍ରମୁଖ ସ୍ଥାନ ପରେ ଡିଜିଟାଲ ଏବଂ ରିଟେଲ ସେଗମେଣ୍ଟରେ ଏହା ଏବେ ବୃହତ୍ତ ପରିମାଣର ନିବେଶ କରିଛି। ନିବେଶକମାନେ ରିଲାଏନ୍ସ ଉପରେ ପ୍ରଗାଢ ଭରଷା ଦେଖାଇଛନ୍ତି। ୧୯୯୧ପରଠାରୁ ରିଲାଏନ୍ସର ଭାଲ୍ୟୁଏଶନରେ ୬୦,୬୪୨ ଗୁଣ ବୃଦ୍ଧି ଘଟିଛି। ଏହି ସମୟ ଅବଧିରେ କମ୍ପାନୀର ଶେୟାର ମୂଲ୍ୟ ୧୪,୨୦୦%ରୁ ଅଧିକ ବୃଦ୍ଧି ଘଟିଛି। ଏହି ସମୟରେ ମଧ୍ୟରେ ରିଲାଏନ୍ସ ଅନେକ ସଫଳତା ହାସଲ କରିଛି।
ମୁଡିସ ପକ୍ଷରୁ ରେଟିଂ ଲାଭ କରିବାରେ ଏହା ଦେଶର ପ୍ରଥମ କମ୍ପାନୀ ହୋଇ ପାରିଛି। ୨୦୧୯ରେ କମ୍ପାନୀ ୧୦,୦୦୦ କୋଟି ଟଙ୍କାର ତ୍ରୈମାସ ଲାଭ ହାସଲ କରିଛି। ୧୯୯୧ ଜାନୁୟାରୀ ୨ ପରଠାରୁ ୨୦୧୯ ନଭେମ୍ବର ୨୯ ମଧ୍ୟରେ ଏହି କମ୍ପାନୀର ବଜାର ପୁଞ୍ଜୀକରଣ ୬୦୦ ଗୁଣରୁ ଅଧିକ ବଢିଥିବା ରେକର୍ଡ କରାଯାଇଛି। ଏହି କ୍ଷେତ୍ରରେ ରିଲାଏନ୍ସ ଅନେକ ବଡ ବଡ କମ୍ପାନୀଙ୍କୁ ପଛରେ ପକାଇ ଦେଇଛି। ୨୦୦୯ ପରେ କମ୍ପାନୀ ଲାଭରେ ବୃଦ୍ଧି ଧାରା ଆରମ୍ଭ କରିଥିଲା। କମ୍ପାନୀର ଅଭିବୃଦ୍ଧିରେ ଋଣର ଅଂଶ ରହିଛି। ଯାହାକୁ ନେଇ ନିବେଶକ ଅଧିକାଂଶ ସମୟରେ ଚିନ୍ତା ପ୍ରକଟ କରିଥାନ୍ତି। ଚଳିତ ବର୍ଷ ମାର୍ଚ୍ଚରେ କମ୍ପାନୀର ଋଣ ବଢି ୨.୮୭ ଲକ୍ଷ କୋଟି ଛୁଇଁଛି। ଏହା ୨୦୦୯ରେ ୭୨,୨୫୬ କୋଟି ଟଙ୍କା ରହିଥିଲା।

Share