Categories: ବାଣିଜ୍ୟ

ରିଫଣ୍ଡ ନିୟମ କୋହଳ କଲା ରେଲଓ୍ବେ

ନୂଆଦିଲ୍ଲୀ,୨୨-୩: କରୋନାର ପ୍ରଭାବ ଦେଶ ମଧ୍ୟରେ ବୃଦ୍ଧି ହେଉଥିବାରୁ ଟ୍ରେନରେ ଭିଡ କମାଇବା ଏବଂ ସାମାଜିକ ଦୂରତ୍ୱ ରକ୍ଷାକୁ ପ୍ରୋତ୍ସାହିତ କରିବା ଲାଗି ରେଲଓ୍ବେ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ରେଲଓ୍ବେ ପକ୍ଷରୁ ଶନିବାର ଏ ନେଇ ଏକ ଆଡଭାଇଜରି ଜାରି କରାଯାଇଛି। ମାର୍ଚ୍ଚ ୨୧ରୁ ଏପ୍ରିଲ ୧୫ ମଧ୍ୟରେ ରେଳ ଟିକେଟ ରିଫଣ୍ଡ ନିୟମକୁ କୋହଳ କରାଯାଇଛି। ରେଲଓ୍ବେ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି ଯେ, ଏହି ସମୟ ମଧ୍ୟରେ ରେଳ ଟିକେଟ ବାତିଲ କଲେ ଧାର୍ଯ୍ୟ ଯାତ୍ରା ସମୟଠାରୁ ୪୫ ଦିନ ମଧ୍ୟରେ କାଉଣ୍ଟରରେ ଟିକେଟ ଦେଖାଇଲେ ରିଫଣ୍ଡ ଉପଲବ୍ଧ ହେବ। ବର୍ତ୍ତମାନର ନିୟମ ମୁତାବକ ୩ ଘଣ୍ଟା ମଧ୍ୟରେ ରିଫଣ୍ଡ ନେବାକୁ ପଡୁଛି। ଯଦି ଟ୍ରେନ ବାତିଲ ହୋଇ ନ ଥାଏ କିନ୍ତୁ ଯାତ୍ରୀ ଟିକେଟ ବାତିଲ କରିବାକୁ ଚାହାନ୍ତି ୩୦ ଦିନ ମଧ୍ୟରେ ତାଙ୍କୁ ଟିକେଟ ଡିପୋଜିଟ୍‌ ରିସିପ୍ଟ( ଟିଡିଆର୍‌) ଫାଇଲ କରିବାକୁ ପଡିବ। ଧାର୍ଯ୍ୟ ଯାତ୍ରା ଦିନଠାରୁ ୩୦ ଦିନରେ ଟିକେଟକୁ ଯାତ୍ରୀ ଷ୍ଟେଶନରେ ଫାଇଲ କରିବେ। ବର୍ତ୍ତମାନ ଏହା ୩ ଦିନ ରହିଛି। ସେହିଭଳି ଟିଡିଆର ଫାଇଲ କରିବାର ୬୦ ଦିନ ମଧ୍ୟରେ ରିଫଣ୍ଡ ପାଇବା ପାଇଁ ଏହାକୁ ଚିଫ୍‌ କମର୍ସିଆଲ ଅଫିସରଙ୍କ ନିକଟରେ ମଧ୍ୟ ଜମା କରାଯାଇ ପାରିବ। ରିଫଣ୍ଡ କ୍ଲେମ୍‌କୁ ଟ୍ରେନ ଚାର୍ଟରୁ ଯାଞ୍ଚ କରାଯିବ। ଯଦି ପାସେଞ୍ଜର ୧୩୯ ଦ୍ୱାରା ଟିକେଟ କ୍ୟାନସେଲ କରିବାକୁ ଚାହୁଁଥାନ୍ତି ରେଲଓ୍ବେ କାଉଣ୍ଟରଗୁଡିକରେ ୩୦ ଦିନ ମଧ୍ୟରେ ରିଫଣ୍ଡ ପାଇପାରିବେ ବୋଲି ରେଲଓ୍ବେ ପକ୍ଷରୁ ସୂଚନା ରହିଛି।

Share