ରିଟେଲ ପଏଣ୍ଟ ଚିହ୍ନଟକୁ ନେଇ ଅସନ୍ତୋଷ: ୪, ୭ ୮୯ ପିଲାଙ୍କୁ ମିଳିବ ମଧ୍ୟାହ୍ନଭୋଜନ ଚାଉଳ

ନାଉଗାଁ, ୧୦ା୪(ସ୍ବ.ପ୍ର.): କରୋନା ଯୋଗୁ ସ୍କୁଲ ପିଲାଙ୍କୁ ୩ମାସର ମଧ୍ୟାହ୍ନ ଭୋଜନ ବାବଦ ଚାଉଳ ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି। ଅଭିଭାବକ ପିଲାଙ୍କ ଟୋକନ ବିଦ୍ୟାଳୟରୁ ଗ୍ରହଣ କରିବେ। ପ୍ରଶାସନ ପକ୍ଷରୁ ଚିହ୍ନଟ ହୋଇଥିବା ରିଟେଲ୍‌ ପଏଣ୍ଟରେ ଟୋକନ ଦାଖଲ କରି ଅଭିଭାବକ ଚାଉଳ ନେଇପାରିବେ ବୋଲି ଜଣାଯାଇଛି। କିନ୍ତୁ ନାଉଗାଁ ବ୍ଲକ ପ୍ରଶାସନ ପକ୍ଷରୁ ଚିହ୍ନଟ କରାଯାଇଥିବା ରିଟେଲ ପଏଣ୍ଟଗୁଡିକ ଛାତ୍ରୀଛାତ୍ରଙ୍କ ଘରଠାରୁ ଦୂରରେ ରହିଛି, ଯାହାକୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ନାଉଗାଁ ବ୍ଲକ ଶିକ୍ଷା ବିଭାଗ ଅଧୀନରେ ୮୮ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଛି। ଏଥିରେ ଅଧ୍ୟୟନ କରୁଥିବା ୪,୭୮୯ ଛାତ୍ରୀଛାତ୍ରଙ୍କୁ ଚାଉଳ ପ୍ରଦାନ କରାଯିବ। ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ମୁଣ୍ଡ ପିଛା ୧୦୦ଗ୍ରାମ୍‌ ହିସାବରେ ୩ ମାସକୁ ୯ କି.ଗ୍ରା. ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ମୁଣ୍ଡ ପିଛା ୧୫୦ଗ୍ରାମ୍‌ ହିସାବରେ ୩ ମାସକୁ ୧୩.୫ କି.ଗ୍ରା. ଚାଉଳ ପ୍ରଦାନ କରାଯିବ ବୋଲି ବ୍ଲକ ଶିକ୍ଷାଧିକାରୀ କହିଛନ୍ତି। ଅଭିଭାବକଙ୍କୁ ବିଦ୍ୟାଳୟର ନିକଟସ୍ଥ ରିଟେଲ ପଏଣ୍ଟରୁ ଚାଉଳ ନେବା ପାଇଁ ନିର୍ଦ୍ଦେଶ ରହିଛି। ହେଲେ ବିଦ୍ୟାଳୟ ପକ୍ଷରୁ ଦର୍ଶାଯାଇଥିବା ରିଟେଲ ପଏଣ୍ଟ ମଧ୍ୟରୁ ଅଧିକାଂଶ ଅଭିଭାବକଙ୍କ ଘରଠାରୁ ୪ କି.ମି. ଅଧିକ ଦୂର ଥିବା ଅଭିଭାବକ ଅଭିଯୋଗ କରିଛନ୍ତି। ଲକ୍‌ଡାଉନ୍‌ ସମୟରେ ଏତେ ଦୂର ଯାଇ କିପରି ଚାଉଳ ସଂଗ୍ରହ କରିବେ, ସେ ନେଇ ଅଭିଭାବକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ତେଣୁ ନିଜ ପଞ୍ଚାୟତ ରିଟେଲ ପଏଣ୍ଟରେ ଚାଉଳ ଯୋଗାଇ ଦେବାକୁ ଅଭିଭାବ ଦାବି କରିଛନ୍ତି। ଏ ସମ୍ପର୍କରେ ବ୍ଲକ ଶିକ୍ଷାଧିକାରୀଙ୍କୁ ପଚାରିବାରେ ଯୋଗାଣ ବିଭାଗ ପକ୍ଷରୁ ମଗା ଯାଇଥିବା ତଥ୍ୟ ପ୍ରଦାନ କରିଛୁ। ରିଟେଲ ପଏଣ୍ଟ ଚିହ୍ନଟ ଦାୟିତ୍ୱ ଯୋଗାଣ ବିଭାଗର ବୋଲି ସେ କହିଛନ୍ତି। ନାଉଗାଁ ବ୍ଲକ ଯୋଗାଣ ନିରୀକ୍ଷିକା ନିଳିମା ମହାନ୍ତିଙ୍କୁ ପଚାରିବାରେ ନାଉଗାଁ ବ୍ଲକର ସମସ୍ତ ପ୍ରଧାନ ଶିକ୍ଷକ ଓ ସିଆର୍‌ସିସିଙ୍କଠାରୁ ଛାତ୍ରୀଛାତ୍ରଙ୍କ ତଥ୍ୟ ସହିତ ବିଦ୍ୟାଳୟର ନିକଟସ୍ଥ ରିଟେଲ ପଏଣ୍ଟର ନାମ ଦେବାକୁ କୁହାଯାଇଥିଲା। ତାଙ୍କ ରିପୋର୍ଟ ଆଧାରରେ ତାଲିକା ପ୍ରକାଶ ପାଇଛି। କିନ୍ତୁ ଉକ୍ତ ତାଲିକାରେ କିଛି ଅଭିଭାବକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ପୁନର୍ବାର ସଂଶୋଧିତ ରିପୋର୍ଟ ଦେବା ପାଇଁ ସିଆରସିସିଙ୍କୁ କୁହାଯାଇଥିଲା। ସେମାନଙ୍କ ଦ୍ୱାରା ଯୋଗାଇ ଦିଆଯାଇଥିବା ସଂଶୋଧିତ ରିପୋର୍ଟ ଜିଲା ଶିକ୍ଷାଧିକାରୀଙ୍କ ନିକଟକୁ ମଞ୍ଜୁର ପାଇଁ ପଠାଯାଇଛି ବୋଲି କହିଛନ୍ତି।