Categories: ଜାତୀୟ

‘ରିଙ୍କିଆ କେ ପାପା’ ଗୀତରେ ନାଚି ଖୁସି ମନାଇଲେ ଏଏପି କର୍ମକର୍ତ୍ତା, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୧।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ଏକପ୍ରକାର ସ୍ପଷ୍ଟ ହୋଇଯାଇଛି। ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ନେତୃତ୍ୱାଧୀନ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ବହୁମତ ସହ ସରକାର ଗଠନ କରିବାକୁ ଯାଉଛି। ଗତ ୮ ତାରିଖରେ ଭୋଟଗ୍ରହଣ କରାଯାଇଥିବା ବେଳେ ମଙ୍ଗଳବାର ଭୋଟଗଣତି ହୋଇଛି। ଏହାପରେ ଏଏପି ହାତକୁ ୬୦ରୁ ଅଧିକ ସିଟ୍‌ ଆସିବା ଦେଖିବାକୁ ମିଳୁଥିବା ବେଳେ ଭାଜପା ୧୦ରୁ କମ୍‌ ସିଟ୍‌ରେ ବାଜିମାତ୍‌ କରିପାରିଛି। ମୋଟାମୋଟି ଦେଖିବାକୁ ଗଲେ ଏଏପି ୬୨ ଓ ଭାଜପା ୮ ସିଟ୍‌ରେ ଆଗୁଆ ରହିଛି। ଏଏପିର ଏଭଳି ପ୍ରଦର୍ଶନକୁ ନେଇ ଦଳର କର୍ମକର୍ତ୍ତାଙ୍କ ମଧ୍ୟରେ ଖୁସିର ମାହୋଲ ଦେଖିବାକୁ ମିଳୁଛି।

ସକାଳେ ଏଏପି ଗଣତିରେ ଆଗରେ ରହିବା ଜଣାପଡ଼ିବା ପରେ ଉତ୍ସବ ପାଳନ ଆରମ୍ଭ ହୋଇଥିଲା। ଏହି ସମୟରେ ଦଳୀୟ କର୍ମକର୍ତ୍ତା ଭାଜପା ନେତା ତଥା ଗାୟକ ମନୋଜ ତିଓ୍ବାରୀଙ୍କ ଗୀତ ‘ରିଙ୍କିଆ କେ ପାପା’ରେ ନାଚୁଥିବା ଦେଖାଯାଇଛି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ନିର୍ବାଚନ ପ୍ରଚାର ସମୟରେ ଭାଜପା ନେତା ମନୋଜ ଏହି ଗୀତରେ ଏଏପିର ମଜା ନେଇଥିଲେ। ଏପରିକି କେଜ୍‌ରିଓ୍ବାଲ ମଧ୍ୟ ଏଥିନେଇ ବୟାନ ଦେଇଥିଲେ। ପରେ ଏଏପି କର୍ମକର୍ତ୍ତାମାନେ ମନୋଜଙ୍କୁ ଟାର୍ଗେଟ କରିଥିଲେ।

Share