ରାୟଗଡ଼ାରେ ପହଞ୍ଚିଲେ ଆଉ ୪୬୧ ଶ୍ରମିକ

ରାୟଗଡ଼ା ଅଫିସ,୧୬ା୫: ଦକ୍ଷିଣ ଭାରତରେ ଫସିରହିଥିବା ପ୍ରବାସୀ ଶ୍ରମିକଙ୍କୁ ଓଡ଼ିଶା ସରକାର ପର୍ଯ୍ୟାୟକ୍ରମେ ସ୍ବତନ୍ତ୍ର ଟ୍ରେନ୍‌ ଯୋଗେ ଆଣୁଛନ୍ତି। ଗୁରୁବାର ୨ଟି ଏକ ସ୍ବତନ୍ତ୍ର ଟ୍ରେନ୍‌ରେ ଶ୍ରମିକମାନେ ଓଡ଼ିଶାରେ ପହଞ୍ଚଥିବାବେଳେ ଶନିବାର ଆଉ ୨ ଟ୍ରେନ୍‌ରେ ୪୬୧ ଆସି ପହଞ୍ଚିଛନ୍ତି। କୋଏମ୍ବାଟୁରରୁ ବାଲେଶ୍ୱର ବାହାରିଥିବା ଏକ ଟ୍ରେନ୍‌ ସକାଳ ୭ଟାରେ ରାୟଗଡ଼ାରେ ପହଞ୍ଚିଥିଲା। ଏଥିରୁ ୨୦୯ ଶ୍ରମିକ ରାୟଗଡ଼ା ରେଳ ଷ୍ଟେଶନରେ ଓହ୍ଲାଇଛନ୍ତି। ସେମାନଙ୍କ ମଧ୍ୟରେ ଗଜପତି ଜିଲାର ୮୫, ରାୟଗଡ଼ାର ୭୯, ନବରଙ୍ଗପୁରର ୧୭, କନ୍ଧମାଳର୧୫, କୋରାପୁଟର ୧୨ ଏବଂ ମାଲକାନଗିରିର ଜଣେ ଶ୍ରମିକ ରହିଛନ୍ତି। ଶ୍ରମିକମାନଙ୍କୁ ନେବା ପାଇଁ ଉକ୍ତ ୬ ଜିଲାର ଅଧିକାରୀମାନେ ରାୟଗଡ଼ା ଷ୍ଟେଶନରେ ଉପସ୍ଥିତ ଥିଲେ। ଶ୍ରମିକମାନେ ପହଞ୍ଚିବା ପରେ ଷ୍ଟେଶନ ପରିସରରେ ସାମାଜିକ ଦୂରତା ବଜାୟ ରଖି ସେମାନଙ୍କ ହାତ ଧୋଇବା ବ୍ୟବସ୍ଥା କରାଯାଇଥିଲା। ପରେ ସେମାନଙ୍କ ପଞ୍ଜୀକରଣ ଓ ଥର୍ମାଲ ସ୍କ୍ରିନିଂ କରାଯାଇ ନିଜ ଅଞ୍ଚଳକୁ ନିଆଯାଇଛି। ସେଠାରେ ସେମାନଙ୍କୁ ସଙ୍ଗରୋଧରେ ରଖିବା ବ୍ୟବସ୍ଥା କରାଯାଇଛି। ସେହିପରି ଆନ୍ଧ୍ରପ୍ରଦେଶର କୁର୍ନୁଲରୁ ଅନ୍ୟ ଏକ ଟ୍ରେନ୍‌ ବଲାଙ୍ଗୀର ଅଭିମୁଖେ ବାହାରି ସନ୍ଧ୍ୟା ୬ଟାରେ ରାୟଗଡ଼ା ଷ୍ଟେଶନରେ ପହଞ୍ଚିଥିଲା। ଏଥିରୁ ୨୫୨ ଶ୍ରମିକ ରାୟଗଡ଼ାରେ ଓହ୍ଲାଇଥିଲେ। ସେମାନଙ୍କ ମଧ୍ୟରେ ରାୟଗଡ଼ା ଜିଲାର ୬୧ ଜଣ, ନବରଙ୍ଗପୁରର ୧୧୫, ମାଲକାନଗିରିର ୨୭, ଗଜପତିର ୨୯, କନ୍ଧମାଳର ୯ ଏବଂ କୋରାପୁଟ ଜିଲାର ୧୧ ଶ୍ରମିକ ରହିଥିବା ଜଣାପଡ଼ିଛି। ଏହି ଅବସରରେ ଡିଆର୍‌ଡିଏ ପିଡି ଅମୃତ ଋତୁରାଜ, ଜିଲାପାଳ ପ୍ରମୋଦ କୁମାର ବେହେରା, ଏସ୍‌ପି ଶର୍ବଣା ବିବେକ ଏମ୍‌ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରବାସୀଙ୍କ ଆଗମନକୁ ଦୃଷ୍ଟିରେ ରଖି ଜିଲାରେ ସଂକ୍ରମଣକୁ ଏଡ଼ାଇବା ପାଇଁ ଉପଜିଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ଗଜପତି ଛକରୁ ସାଇ ଇଣ୍ଟରନ୍ୟାଶନାଲ ଛକ ଏବଂ ରେଳଷ୍ଟେଶନ ଛକରେ ୪ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଏକତ୍ରିତ ନ ହେବା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଥିଲା।