Categories: ଜାତୀୟ

ରାହୁଲ, ମମତାଙ୍କୁ ଶାହାଙ୍କ ଚାଲେଞ୍ଜ: କେମିତି ନାଗରିକତ୍ୱ ଯିବ ପ୍ରମାଣ ଦିଅ

ଜବଲପୁର,୧୩ା୧(ପି.ଟି.): ସିଏଏ କାର୍ଯ୍ୟକାରୀ ହେବାର ଦୁଇଦିନ ପରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା କଂଗ୍ରେସ ଓ ଟିଏମ୍‌ସି ଉପରେ ବର୍ଷିଛନ୍ତି। ଅଯଥାରେ ଏହି ଦୁଇଦଳ ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି। ସିଏଏ ନାଗରିକତ୍ୱ ଛଡ଼ାଇ ନେବ ବୋଲି ଯାହା କୁହାଯାଉଛି, ତାହା ସମ୍ପୂର୍ଣ୍ଣ ମିଛ। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ଟିଏମ୍‌ସି ନେତ୍ରୀ ମମତା ବାନାର୍ଜୀ ଏନେଇ ଲୋକଙ୍କୁ ଏଣୁ ତେଣୁ ଭୂତାଇ ବିଭ୍ରାନ୍ତ କରୁଛନ୍ତି। ଏନେଇ ଗୋଟିଏ ପ୍ରମାଣ ଦେଖାନ୍ତୁ ବୋଲି ଶାହା ଚାଲେଞ୍ଜ ଦେଇ କହିଛନ୍ତି। ମଧ୍ୟପ୍ରଦେଶର ଜବଲପୁରଠାରେ ଏକ ଜନସଭାକୁ ସମ୍ବୋଧନ କରି ପାକିସ୍ତାନ ଓ ଅନ୍ୟ ଦକ୍ଷିଣ ଏସୀୟ ରାଷ୍ଟ୍ରର ଉତ୍ପୀଡ଼ିତ ହିନ୍ଦୁ, ଖ୍ରୀଷ୍ଟିଆନ୍‌, ଶିଖ୍‌, ବୌଦ୍ଧ, ପାର୍ସି, ଜୈନ୍‌ ଧର୍ମର ଲୋକଙ୍କୁ ଭାରତୀୟ ନାଗରିକତ୍ୱ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି। ଉତ୍ପୀଡ଼ନ ସହି ନ ପାରି ଏମାନେ ଭାରତରେ ରହିବାକୁ ଚାହୁଁଛନ୍ତି। ସରକାର ସେମାନଙ୍କ ଲାଗି ସିଏଏ ଆଣିଛନ୍ତି। ଏମାନଙ୍କୁ ଭାରତର ନାଗରିକତ୍ୱ ପ୍ରଦାନ କରା ନ ଯିବା ପର୍ଯ୍ୟନ୍ତ ବିଶ୍ରାମ ନିଆଯାଇପାରିବନି ବୋଲି ଶାହା କହିଛନ୍ତି। ଏହାଦ୍ୱାରା ଭାରତୀୟଙ୍କ ନାଗରିକତ୍ୱ ପ୍ରତି କୌଣସି ବିପଦ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ବିରୋଧୀମାନେ ନିଜର ଭୋଟବ୍ୟାଙ୍କ ଲାଗି ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି। ଏଥିଲାଗି ଭାଜପା ପକ୍ଷରୁ ଘରକୁ ଘର ବୁଲି ସଚେତନ କରାଯାଉଛି। କଂଗ୍ରେସ ଧର୍ମ ନାମରେ ଦେଶକୁ ଭାଗ ଭାଗ କରିଛି। କେତେକ ଅଣଭାଜପା ରାଜ୍ୟ ଏହାକୁ ବିରୋଧ କରିଆସୁଛନ୍ତି। ରାଜ୍ୟରେ ଏହାକୁ ଲାଗୁ କରାଇ ନ ଦେବା ଲାଗି ଚକ୍ରାନ୍ତ କରୁଛନ୍ତି। କେନ୍ଦ୍ରୀୟ ଆଇନକୁ ସମ୍ମାନ ଜଣାଇବା ରାଜ୍ୟର ଧର୍ମ। ଏହା ନାଗରିକଙ୍କ ସୁରକ୍ଷା ଲାଗି ଉଦ୍ଦିଷ୍ଟ ବୋଲି ଶାହା ପ୍ରକାଶ କରିଛନ୍ତି।

Share