Categories: ଜାତୀୟ

ରାହୁଲଙ୍କ ବୟାନକୁ ନେଇ ଲୋକ ସଭାରେ ହଙ୍ଗାମା

ନୂଆଦିଲ୍ଲୀ,୭।୨: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବୟାନକୁ ନେଇ ଲୋକ ସଭାରେ ଶୁକ୍ରବାର ଝଡ଼ ସୃଷ୍ଟି ହୋଇଛି। ଏହି ଉତ୍ତେଜନା ଏତେ ବଢ଼ିଯାଇଥିଲା ଯେ, ଘଟଣା ଠେଲାପେଲା ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା। ସୂଚନାଯୋଗ୍ୟ, ଲୋକ ସଭାରେ ପ୍ରଶ୍ନକାଳ ଚାଲିଥିବା ବେଳେ କେନ୍ଦ୍ରମନ୍ତ୍ରୀ ହର୍ଷବର୍ଦ୍ଧନ ଉତ୍ତର ଦେଉଥିଲେ। ସେତିକି ବେଳେ ସେ ରାହୁଲ ଯୁବବର୍ଗ ମୋଦିଙ୍କୁ ଠେଙ୍ଗାରେ ବାଡେଇବାକୁ ନେଇ ଯେଉଁ ବୟାନ ଦେଇଥିଲେ ତାହାକୁ ଦୋହରାଇବା ସହ ଆଲୋଚନା କରିଥିଲେ। ଏଥିସହ ରାହୁଲଙ୍କ ଏହି ବୟାନକୁ ସେ କଡ଼ା ନିନ୍ଦା କରିଥିଲେ। ସେହି ସମୟରେ ବାଚସ୍ପତି ଓମ୍‌ ବିର୍ଲା ତାଙ୍କୁ ଅଟକାଇବାକୁ ଉଦ୍ୟମ କରିଥିଲେ। ହେଲେ ଏହାରି ଭିତରେ କଂଗ୍ରେସ ଏମ୍‌ପି ମନିକମ ଟେଗୋର ହର୍ଷବର୍ଦ୍ଧନଙ୍କ ସିଟ୍‌ ପାଖକୁ ପହଞ୍ଚିଯାଇଥିଲେ ଏବଂ ଏହାପରେ ଦୁହିଁଙ୍କ ମଧ୍ୟରେ କଥା କଟାକଟି ଆରମ୍ଭ ହୋଇଥିଲା। ଯୁକ୍ତିତର୍କ ମଧ୍ୟରେ ଭାଜପା ଓ କଂଗ୍ରେସ ଏମ୍‌ପି ଦୁହେଁ ନିଜ ନିଜ ଆସନକୁ ଛାଡ଼ି ବାଚସ୍ପତିଙ୍କ ନିକଟକୁ ପହଞ୍ଚିବା ପରେ ଦୁହିଁଙ୍କ ମଧ୍ୟରେ ଠେଲାପେଲା ଆରମ୍ଭ ହୋଇଥିଲା। ଏହାପରେ ବାଚସ୍ପତି ଗୃହକୁ ସ୍ଥଗିତ ରଖିଥିଲେ। ଅପରପକ୍ଷେ ମନିକମ୍‌ଙ୍କ ସପକ୍ଷରେ ରାହୁଲ ବାହାରିବା ସହ ସଫେଇ ରଖିଛନ୍ତି। ସେ କହିଛନ୍ତି, ମନିକମ୍‌ କାହାକୁ ଆକ୍ରମଣ କରିନାହାନ୍ତି ଓଲଟା ତାଙ୍କ ଉପରେ ଆକ୍ରମଣ ହୋଇଛି।

Share