Categories: ଜାତୀୟ

ରାହୁଲଙ୍କୁ ମାୟାବତୀଙ୍କ ସମାଲୋଚନା

ନୂଆଦିଲ୍ଲୀ, ୨୭ା୮: ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଏସ୍‌ପି ସୁପ୍ରିମୋ ମାୟାବତୀ ସୋମବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ତାଙ୍କ ସହ ଶ୍ରୀନଗର ଗସ୍ତରେ ଯିବା ଲାଗି ପ୍ରୟାସ କରିଥିବା ଅନ୍ୟ ବିରୋଧୀ ଦଳର ନେତାଙ୍କ ଉପରେ ବର୍ଷିଛନ୍ତି। ସେଠାକୁ ଯିବା ପୂର୍ବରୁ ଅଧିକ ଚିନ୍ତା କରିବାର ଥିଲା ବୋଲି ମାୟାବତୀ ଟୁଇଟ୍‌ କରିଛନ୍ତି। ବିନା ଅନୁମତିରେ ଏମିତି ଯାଇ ସେଠାରୁ ଫେରିବା ଦ୍ୱାରା କେନ୍ଦ୍ରକୁ ରାଜନୀତି କରିବାର ସୁଯୋଗ ମିଳିଲା ବୋଲି ସେ ଅଭିଯୋଗ କରିଛନ୍ତି। ବିଏସ୍‌ପି ସୁପ୍ରିମୋ କହିଛନ୍ତି, ଆମ୍ବେଦକର ଭାରତର ଏକତା, ସମାନତାକୁ ଗୁରୁତ୍ୱ ଦେଇଆସୁଥିଲେ। ଏଥିଲାଗି ୩୭୦ ସପକ୍ଷରେ ସେ ନ ଥିଲେ। ଏଥିଲାଗି ଏହି ଧାରା ଉଚ୍ଛେଦ ଲାଗି ବିଏସ୍‌ପି ସମର୍ଥନ ଜଣାଇଥିଲା। ଏହି ଧାରା ଉଚ୍ଛେଦ ହେବା ପରେ ସ୍ଥିତି ସ୍ବାଭାବିକ ହେବା ଲାଗି ସମୟ ଲାଗିବ। ତେଣୁ ଅପେକ୍ଷା କରିବାର ଆବଶ୍ୟକତା ରହିଛି ବୋଲି ମାୟାବତୀ କହିଛନ୍ତି। ଅଦାଲତ ମଧ୍ୟ ଏଭଳି ପଦକ୍ଷେପ ନେଇଥିବା ସେ ପ୍ରକାଶ କରିଛନ୍ତି। ଶନିବାର ରାହୁଲଙ୍କ ସମେତ ଶ୍ରୀନଗର ଯାଇଥିବା ୧୦ ବିରୋଧୀ ଦଳର ନେତାଙ୍କୁ ଫେରାଇ ଦିଆଯାଇଥିଲା।

Share