ଅମରପାଲି,୨ା୭(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ଗ୍ରାମ ଦେଇ ଯାଇଥିବା ପୂର୍ତ୍ତ ବିଭାଗର ମୁଖ୍ୟ ରାସ୍ତା ଏବେ ସ୍ଥାନୀୟ ଲୋକଙ୍କ ପାଇଁ ଦୁର୍ଦ୍ଦଶାର କାରଣ ପାଲଟିଛି। ରାସ୍ତାର ଉଭୟ ପାର୍ଶ୍ୱରେ ଡ୍ରେନେଜ ବ୍ୟବସ୍ଥା ନ ଥିବାରୁ ବର୍ଷାପାଣି ସହ ଘରୋଇ ନର୍ଦ୍ଦମା ପାଣି ରାସ୍ତା ଉପରେ ସବୁବେଳେ ଜମି ରହୁଛି। ଫଳରେ ପଥଚାରୀ ଓ ଯାନବାହନ ଚଳାଚଳ ବ୍ୟାପକ ଭାବେ ବାଧାପ୍ରାପ୍ତ ହେଉଥିବାବେଳେ ଦୁର୍ଘଟଣାର ଆଶଙ୍କା ମଧ୍ୟ ବଢ଼ିଚାଲିଛି।
ଏହି ରାସ୍ତା ଦେଇ ପ୍ରତିଦିନ ପ୍ରାୟ ୨୩ଟି ଗ୍ରାମର ଲୋକ ଯାତାୟାତ କରୁଛନ୍ତି। ଛାତ୍ରୀଛାତ୍ର ସ୍କୁଲ, କଲେଜ ଓ ଅଙ୍ଗନଓ୍ବାଡି କେନ୍ଦ୍ରକୁ ଯିବା ସହ ପଞ୍ଚାୟତବାସୀ ପଞ୍ଚାୟତ କାର୍ଯ୍ୟାଳୟ, କୃଷି ସେବା ସମବାୟ ସମିତି, ପ୍ରାଣୀଧନ ଚିକିତ୍ସାଳୟ ଓ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟକୁ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି। ପ୍ରତି ଶୁକ୍ରବାର ବସୁଥିବା ସାପ୍ତାହିକ ହାଟକୁ ମଧ୍ୟ ହଜାର ହଜାର ଲୋକ ଏହି ରାସ୍ତା ଦେଇ ଯାଆସ କରିଥାନ୍ତି। ଏପରିକି ଗ୍ରାମର ମନ୍ଦିରକୁ ଯିବା ପାଇଁ ମଧ୍ୟ ଲୋକଙ୍କୁ ଦୂଷିତ ନର୍ଦ୍ଦମା ପାଣି ଭିତରେ ଯିବାକୁ ପଡ଼ୁଛି।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ରାସ୍ତା ର୍ନିମାଣ ସମୟରେ ପୂର୍ତ୍ତ ବିଭାଗ ପକ୍ଷରୁ ଆବଶ୍ୟକ ଡ୍ରେନେଜ ବ୍ୟବସ୍ଥା କରାଯାଇ ନ ଥିବାରୁ ସାମାନ୍ୟ ବର୍ଷା ହେଲେ ମଧ୍ୟ ପ୍ରାୟ ଆଣ୍ଠୁଏ ଉଚ୍ଚର ପାଣି ରାସ୍ତା ଉପରେ ଜମି ରହୁଛି। ଏହା ଦ୍ୱାରା ପ୍ରତିଦିନ ଲୋକେ ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ ଅନେକ ଛୋଟବଡ଼ ଦୁର୍ଘଟଣା ମଧ୍ୟ ଘଟୁଥିବା ସେମାନେ କହିଛନ୍ତି।
ଏହି ସମସ୍ୟା ନେଇ ଗ୍ରାମବାସୀ ପୂର୍ବରୁ ପୂର୍ତ୍ତ ବିଭାଗର ଅଧିକାରୀ, ବୀରମହାରାଜପୁର ବିଡିଓ, ସ୍ଥାନୀୟ ରାଜସ୍ବ ନିରୀକ୍ଷକ ଓ ତହସିଲଦାରଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସ୍ଥାୟୀ ପଦକ୍ଷେପ ନିଆଯାଇ ନ ଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି। ଶେଷରେ ସମସ୍ତ ସ୍ତରରେ ନିରାଶ ହେବା ପରେ ସୁବର୍ଣ୍ଣପୁର ଜିଲାପାଳ ଡ. ନୃପରାଜ ସାହୁଙ୍କ ବୀରମହାରାଜପୁର ଗସ୍ତ ଅବସରରେ ତାଙ୍କୁ ଏକ ଦାବିପତ୍ର ପ୍ରଦାନ କରି ରାସ୍ତାରେ ଡ୍ରେନେଜ ବ୍ୟବସ୍ଥା କରି ଜଳ ନିଷ୍କାସନ ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ଦାବି ଜଣାଇଛନ୍ତି।
ଏ ସମ୍ପର୍କରେ ପୂର୍ତ୍ତ ବିଭାଗର ଏସ୍ଡିଓ ଖାକେନ ସିଂଙ୍କୁ ଯୋଗାଯୋଗ କରିବାରୁ ଡ୍ରେନେଜ ପାଇଁ ଲିଖିତ ଅଭିଯୋଗ କରନ୍ତୁ ବୋଲି କହିଥିଲେ।

