ରାସ୍ତାର ପୁନରୁଦ୍ଧାର ପାଇଁ ସ୍ମାରକପତ୍ର

ଭଦ୍ରକ ଅଫିସ, ୨୬।୮ – ଆସନ୍ତା ନଭେମ୍ବର ୨୪ ତାରିଖରେ ଭଦ୍ରକର ଧର୍ମଗୁରୁ ବଡ଼ ସରକାରବାବାଙ୍କ ପବିତ୍ର ଉର୍ସ ଉତ୍ସବ। ଭଦ୍ରକ ପୌରାଞ୍ଚଳ ଅଧୀନ ସରକାରନଗର ଖାନ୍‌କା ଶରିଫଠାରେ ଉତ୍ସବ ପାଳନ ହେବ। ଏହି ଉତ୍ସବରେ ଭାରତର ବିଭିନ୍ନ ପ୍ରାନ୍ତରରୁ ଲକ୍ଷାଧିକ ଶ୍ରଦ୍ଧାଳୁ ଯୋଗ ଦେଇଥାନ୍ତି। ଏହି ଅବସରରେ ବାବାଙ୍କ ପୀଠକୁ ସଂଯୋଗ କରୁଥିବା ୨ଟି ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଥିବାରୁ ଏହାର ପୁନରୁଦ୍ଧାର ଲାଗି ଦାବି କରାଯାଇଛି। ଏ ପରିପ୍ରେକ୍ଷୀରେ ଭଦ୍ରକ ବିକାଶ ମଞ୍ଚ ପକ୍ଷରୁ ଅତିରିକ୍ତ ଜିଲାପାଳ ଶ୍ୟାମଭକ୍ତ ମିଶ୍ରଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ବିଶେଷକରି ପୁରୁଣାବଜାରରୁ ଛଡ଼ାକମହଲା ଦେଇ ସରକାରନଗରକୁ ଯାଇଥିବା ଓ ଚନ୍ଦନବଜାର ଛକରୁ ବୁଧବାରହାଟ ଦେଇ ଯାଇଥିବା ଭଦ୍ରକ-ଚାନ୍ଦବାଲି ରାସ୍ତାକୁ ସଂଯୋଗ କରୁଥିବା ରାସ୍ତା ଅବସ୍ଥା ଅତି ଶୋଚନୀୟ ହୋଇପଡ଼ିଛି। ଉର୍ସ ଉତ୍ସବ ସମୟରେ ଏହି ରାସ୍ତା ଦେଇ ହଜାର ହଜାର ସ୍ଥାନୀୟ ଅଞ୍ଚଳର ଶ୍ରଦ୍ଧାଳୁ ଯାଆସ କରିଥାନ୍ତି। ଏଣୁ ରାସ୍ତାର ନବୀକରଣ ସହିତ ପ୍ରଶସ୍ତିକରଣ ପାଇଁ ବିକାଶ ମଞ୍ଚ ପକ୍ଷରୁ ଦାବି କରାଯାଇଛି। ଉତ୍ସବ ପୂର୍ବରୁ କାମ କରାଯିବାକୁ ମଞ୍ଚର ମୁଖ୍ୟ ସଂଯୋଜକ ରାଜେନ୍ଦ୍ର ଯେନା, ସଭାପତି ଅବୁହୋସେନ ଖାନ, ସମ୍ପାଦକ ସେକ୍‌ ତାଜଉଦ୍ଦିନ, ଏମ୍‌ଡି. ଅସଗର, ଅବଦୁଲ ମୋନାନ ଖାନ, ଅନୱାର କାଲିକ, ଅମିତ ଘଡ଼େଇ, ସେକ ଜାନୁ, ଜାଫର ଖାନ, ସେକ ଆଶିକୁର ରହେମାନଙ୍କ ସମେତ ଶତାଧିକ ଗ୍ରାମବାସୀ ଦାବି କରିଛନ୍ତି।