ରାସ୍ତାରେ ଯାଉଥିବା ୧୦ ଜଣଙ୍କୁ ଧରିନେଇ ସଙ୍ଗରୋଧ କେନ୍ଦ୍ରକୁ ପଠାଇଦେଲା ପୋଲିସ

ସମ୍ବଲପୁର,୧୨ା୫(ବ୍ୟୁରୋ): ସମ୍ବଲପୁର ଜିଲା ଦେଇ ରାଜ୍ୟ ବାହାରର ଲୋକେ ପ୍ରତିଦିନ ଚାଲି ଚାଲି ନିଜ ରାଜ୍ୟ ତଥା ଘରକୁ ଯାଉଛନ୍ତି। ମଙ୍ଗଳବାର ପଶ୍ଚିମବଙ୍ଗ ଯାଉଥିବା ୧୨ ଜଣ ଶ୍ରମିକଙ୍କୁ ଗେଙ୍ଗୁଟିପାଲିରେ ସ୍ଥାନୀୟ କେତେକ ଲୋକେ ଦେଖି ଧନୁପାଲି ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚତ୍ ଏମାନଙ୍କୁ ପଚରାଉଚରା କରିଥିଲା। ସେମାନେ ରାୟପୁରରୁ ପଶ୍ଚିମବଙ୍ଗ ଯାଉଛନ୍ତି। ଲକ୍‌ଡାଉନ ଯୋଗୁ କାମ ବନ୍ଦ ହୋଇଯିବାରୁ ଏବେ ଘରକୁ ଫେରୁଛନ୍ତି। ସୁନାପାଲି ଅଞ୍ଚଳରେ ଜଣେ ସମ୍ପର୍କୀୟ ରହୁଥିବାରୁ ସେମାନେ ସେଠାକୁ ଆସିଥିଲେ। ଖାଇପିଇ ପୁଣି ନିଜ ରାଜ୍ୟ ଅଭିମୁଖେ ବାହାରିଥିବା ପୋଲିସକୁ କହିଥିଲେ। ହେଲେ ପୋଲିସ ସେମାନଙ୍କୁ ଏକ ବସ୍‌ ଯୋଗେ ଅଇଁଠାପାଲିସ୍ଥିତ କ୍ୱାରାଣ୍ଟାଇନ ସେଣ୍ଟରକୁ ପଠାଇଛି। ଏହି ସମୟରେ କିନ୍ତୁ ୨ ଜଣ ଶ୍ରମିକ ଫେରାର ହୋଇଯାଇଛନ୍ତି। ଖସି ପଳାଇଥିବା ୨ ଶ୍ରମିକଙ୍କୁ ଧରିବାକୁ ପୋଲିସ ତନାଘନା ଚଳାଇଛି। ସେହିପରି ଯାଯପୁର ଜିଲା ଚଣ୍ଡିଖୋଲରୁ ଆସୁଥିବା କିଛି ଶ୍ରମିକଙ୍କୁ ଧନୁପାଲି ଛକରେ ଲୋକେ ଅଟକାଇ ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ପଚରାଉଚୁରା କରିଥିଲା। ସେମାନେ ଛତିଶଗଡ ଯାଉଥିବା କହିବା ପରେ ପୋଲିସ କିନ୍ତୁ ଛାଡି ଦେଇଛି। ଅନ୍ୟପକ୍ଷେ ସମ୍ବଲପୁର ସହରର ବିଭିନ୍ନ ସ୍ଥାନରେ କାମ କରୁଥିବା ପଶ୍ଚିମବଙ୍ଗ ମୁର୍ଶିଦାବାଦର ୧୧୦ ଜଣ ଶ୍ରମିକ ୩ଟି ବସ୍‌ରେ ନିଜ ଘରକୁ ଫେରିଛନ୍ତି। ଜିଲା ପ୍ରଶାସନ ପକ୍ଷରୁ ସେମାନଙ୍କ ପାଇଁ ପାସ୍‌ ଦିଆଯାଇଛି।