ରାସ୍ତାପାର୍ଶ୍ୱରୁ ଗଛକଟା, ଭେଣ୍ଡିଂ ଜୋନ୍‌କୁ ନେଇ ପ୍ରଶାସନ-ଅଞ୍ଚଳବାସୀ ମୁହାଁମୁହିଁ

ଗଞ୍ଜାମ,୧୦ା୬(ଡି.ଏନ୍‌.ଏ.): ଗଞ୍ଜାମ ସହରରେ ୫ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ ପାଇଁ ଜବରଦଖଲ କାର୍ଯ୍ୟ ବୁଧବାର ପୂର୍ବାହ୍ନରେ ସହରାଞ୍ଚଳର ସାନବଜାର ମାଛ ମର୍କେଟଠାରେ ଚାଲିଥିବା ବେଳେ ସହରବାସୀ ଏହାକୁ ବିରୋଧ କରିଥିଲେ। ଗଞ୍ଜାମ ସହରରେ ପ୍ରତିବର୍ଷ ଐତିହାସିକ ଦୋଳଯାତ୍ରା ଆୟୋଜିତ ହେଉଥିବା ବେଳେ ରାସ୍ତା ମଝିରେ ଡିଭାଇଡର ନିର୍ମାଣ, ସହରରେ ସାନବଜାରଠାରୁ ବଡ଼ ବଜାର ମଧ୍ୟରେ ରହିଥିବା ଗଛକଟା ଓ ୪ ମାସରୁ ଊର୍ଦ୍ଧ୍ୱ ହେବ ସହରର ଉଭୟ ପାର୍ଶ୍ୱରେ ଦୋକାନଗୁଡିକ ଉଚ୍ଛେଦ କରାଯାଇଥିଲା। ତେବେ ବ୍ୟବସାୟୀଙ୍କ ନିମନ୍ତେ ଭେଣ୍ଡିଂ ଜୋନ୍‌ ବ୍ୟବସ୍ଥା କରାଯାଇନାହିଁ। ଫଳରେ ଶତାଧିକ ବ୍ୟବସାୟୀ ଜୀବିକା ହରାଇିଛନ୍ତି। ଯାହାକୁ ନେଇ ପ୍ରଶାସନ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ପରେ ପ୍ରଶାସନ ବିଭାଗୀୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ଗଛଗୁଡିକ ନ କାଟିବା, ଭେଣ୍ଡିଂ ଜୋନ୍‌ ବ୍ୟବସ୍ଥା ପାଇଁ ପଦକ୍ଷେପ ନେବା, ରାସ୍ତା ମଝିରେ ଡିଭାଇଡର ପରିବର୍ତ୍ତେ ଗ୍ରୀଲିଂ ବ୍ୟବସ୍ଥା କରିବା ଆଦି ସମସ୍ୟା ସମାଧାନ ପରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଥିଲା।
ପ୍ରଶାସନ ପକ୍ଷରୁ ତହସିଲଦାର ଅବନୀ କୁମାର ସାହୁ,ଆଡିଶନାଲ ତହସିଲଦାର ସନାତନ ମହାଳିକ, ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଭୁକଲ୍ୟାଣ ଦାସ, ଗଞ୍ଜାମ ଥାନାଧିକାରୀ ଦିଲୀପ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିବା ବେଳେ ଗଞ୍ଜାମ ଅଞ୍ଚଳବାସୀଙ୍କ ପକ୍ଷରୁ ଆଇନଜୀବୀ ଦିଲୀପ କୁମାର ପଟ୍ଟନାୟକ, ଯୁବନେତା ସୁଧୀର କୁମାର ପାଢ଼ୀ, ଲକ୍ଷ୍ମୀ ଚରଣ ପାଢ଼ୀ,ବଡ଼ବଜାର ବଣିକ ସଂଘ ସଭାପତି ଗୌରୀଶଙ୍କର ବାରିକ,ସମ୍ପାଦକ କାହ୍ନୁ ଚରଣ ପଣ୍ଡା, ବିଷ୍ଣୁ ଚରଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।