ରାସ୍ତାକାମ ନ କରି ଉଠାଇ ନେଲେ ଟଙ୍କା

ବରଗଡ଼ ଅଫିସ୍‌,୧୨।୫: ବରଗଡ଼ ଜିଲା ଗ୍ରାମ୍ୟ ଉନ୍ନୟନ(ଆର୍‌ଡି) ବିଭାଗ ଅଧୀନରେ ଚାଲିଥିବା ପ୍ରକଳ୍ପ କାମରେ କିଭିଳି ସ୍ବଚ୍ଛତା ରହିଛି, ତାର ଏକ ଦୃଷ୍ଟାନ୍ତ ପଦାକୁ ଆସିଛି । ଏହି ବିଭାଗ ଅଧୀନରେ ରହିଥିବା ଭେଡ଼େନ ବ୍ଲକ ଅନ୍ତର୍ଗତ ଦବକା ଏବଂ ବଇପୁର ଛକରୁ ଆଖିଫୁଟା ରାସ୍ତା ପାଇଁ ମଞ୍ଜୁର ହୋଇଥିବା ଟଙ୍କାକୁ ବିନା କାମରେ ଉଠାଇ ନିଆଯାଇଥିବା ଜଣାପଡ଼ିଛି। ଏହାର ଖୋଲତାଡ଼ ହେବା ପରେ ଘଟଣାଟି ପଦାକୁ ଆସିଥିଲା ।
ସୂଚନା ଅନୁଯାୟୀ, ଦବକା ଏବଂ ବଇପୁର ଛକରୁ ଆଖିଫୁଟା ୨ଟି ରାସ୍ତା ମରାମତି ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୨ଲକ୍ଷ ୬୧ହଜାର ଟଙ୍କା ଲେଖାଏଁ ମଞ୍ଜୁର ହୋଇଥିଲା । ଉକ୍ତ ରାସ୍ତାର ଉଭୟ ପାର୍ଶ୍ୱରୁ ଘାସଲଟା ସଫା କରିବା ସହିତ ମୋରମ୍‌ ବିଛାଇବା କାମ ରହିଥିଲା । ତେବେ ଏହି ଦୁଇଟି ରାସ୍ତାରେ କିଛି କାମ ହୋଇ ନ ଥିଲେ ସୁଦ୍ଧା ବିଭାଗୀୟ ଯନ୍ତ୍ରୀ ଓ ସମ୍ପୃକ୍ତ ଠିକାଦାର ସଲାସୁତୁରା କରି ସମୁଦାୟ ମଞ୍ଜୁର ଟଙ୍କା ଉଠାଇ ନେଇଥିବା ଜଣାପଡ଼ିଛି । ଏ ସମ୍ପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ସଞ୍ଜୟ ମିଶ୍ରଙ୍କୁ ପଚାରିବାରୁ ଏହି କାମରେ ଅନିୟମିତତା ହୋଇଛି ଏବଂ ସେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇ ଦେଇଥିବା କହିଥିଲେ ।