ରାଷ୍ଟ୍ରୀୟ ସାଂସ୍କୃତିକ ଐତିହ୍ୟ ତାଲିକାରେ ମାଣବସା ଗୁରୁବାର

ଭୁବନେଶ୍ୱର, ୨୧ା୪(ବ୍ୟୁରୋ): ବିଶ୍ୱ ଐତିହ୍ୟ ଦିବସ ଅବସରରେ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଇନଟାଞ୍ଜିବଲ୍‌ କଲଚରାଲ୍‌ ହେରିଟେଜ ତାଲିକା ବା ରାଷ୍ଟ୍ରୀୟ ସାଂସ୍କୃତିକ ଐତିହ୍ୟ ତାଲିକା ଘୋଷଣା କରାଯାଇଛି। ଏହି ତାଲିକାରେ ଓଡ଼ିଶାର ୩ଟି ଲୋକପ୍ରିୟ ପର୍ବ ଓ ଲୋକନୃତ୍ୟ ସାମିଲ ହୋଇଛି। ଓଡ଼ିଶାର ଘରେ ଘରେ ପରିଚିତ ମାର୍ଗଶିର ମାସର ମାଣବସା ଗୁରୁବାର ତଥା ଲକ୍ଷ୍ମୀପୂଜା ସହ ବିଶ୍ୱ ପ୍ରସିଦ୍ଧ ଓଡ଼ିଶାର ଛଉ ନୃତ୍ୟ ଏବଂ ରାବଣଛାୟା ନୃତ୍ୟ ଏହି ତାଲିକାରେ ସ୍ଥାନ ପାଇଛି।
ଭାରତରେ ବିବିଧ ସଂସ୍କୃତି ଓ ପରମ୍ପରା କିଭଳି ପରସ୍ପର ସହ ଛନ୍ଦି ହୋଇ ରହିଛି ଓ ଏହାର ଇତିହାସ କିଭଳି ମହାନ ତାହାକୁ ଏହି ଇନ୍‌ଟାଞ୍ଜିବଲ୍‌ କଲଚରାଲ୍‌ ହେରିଟେଜ ତାଲିକାରେ ଦର୍ଶାଯାଇଛି। ଏହା ମାଧ୍ୟମରେ ବିଭିନ୍ନ ରାଜ୍ୟର ସାଂସ୍କୃତିକ ଐତିହ୍ୟ ବାବଦରେ ଜାତୀୟ ଏବଂ ଅନ୍ତର୍ଜାତୀୟସ୍ତରରେ ପ୍ରଚାର କରାଯାଇପାରିବ ବୋଲି କୁହାଯାଇଛି। ଅନ୍ୟପକ୍ଷରେ ଏହି ତାଲିକାରେ ମାଣବସା ଗୁରୁବାର ପ୍ରଥା, ଛଉ ନୃତ୍ୟ ଏବଂ ରାବଣଛାୟାକୁ କେବଳ ସାମିଲ କରାଯାଇନି, ବରଂ ଏହା ବାବଦରେ ବିସ୍ତୃତ ବର୍ଣ୍ଣନା କରାଯାଇଛି। ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ପ୍ରସ୍ତୁତ ଛଉ ଏବଂ ରାବଣଛାୟାର ଭିଡିଓ ଲିଙ୍କ୍‌ ମଧ୍ୟ ଏଠାରେ ରହିଛି। ଏହାକୁ ଦେଖି ଲୋକେ ଏହି ପାରମ୍ପରିକ ଲୋକକଳା ସମ୍ପର୍କରେ ଅଧିକ ଜାଣିପାରିବେ।