Categories: ଜାତୀୟ

ରାଷ୍ଟ୍ରଦୂତ ପଦରୁ ହଟିଲେ ରେଣୁ ପଲ୍‌

ନୂଆଦିଲ୍ଲୀ,୩୦।୧୨(ଆଇଏଏନ୍‌ଏସ୍‌): ଅଷ୍ଟ୍ରିଆରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ରେଣୁ ପଲ୍‌ଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଛି। ସେ ସେଠାରେ ମାସକୁ ୧୫ ଲକ୍ଷ ଟଙ୍କାର ଏକ ଆପାର୍ଟମେଣ୍ଟ ନିଜ ପାଇଁ ଭଡ଼ାରେ ନେଇଥିଲେ। ରେଣୁଙ୍କ ବିରୋଧରେ ଆର୍ଥିକ ଅନିୟମିତତା ଓ ସରକାରୀ ଅର୍ଥର ଦୁରୁପଯୋଗ ଅଭିଯୋଗ ଆସିବା ପରେ ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଜଣାପଡ଼ିଛି।
୧୯୮୮ ବ୍ୟାଚ୍‌ ଭାରତୀୟ ବୈଦେଶିକ ସେବା (ଆଇଏଫ୍‌ଏସ୍‌) ଅଧିକାରୀ ରେଣୁଙ୍କ ଅଷ୍ଟ୍ରିଆରେ କାର୍ଯ୍ୟକାଳ ଆସନ୍ତା ମାସରେ ଶେଷ ହେବାକୁ ଥିଲା। ହେଲେ ଏହା ପୂର୍ବରୁ ତାଙ୍କୁ ରାଷ୍ଟ୍ରଦୂତ ପଦରୁ ବିଦା କରାଯାଇଛି। କେନ୍ଦ୍ରୀୟ ଭିଜିଲାନ୍ସ କମିଶନ (ସିଭିସି) ରେଣୁଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ କରିବା ପାଇଁ ବହିର୍ବ୍ୟାପାର ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଥିଲେ। ଦତନ୍ତରୁ ଜଣାପଡ଼ିଛି ଯେ, ସେ ମନ୍ତ୍ରଣାଳୟର ବିନା ଅନୁମତିରେ ସରକାରୀ ବାସଭବନରୁ କୋଟି କୋଟି ଟଙ୍କା ଆୟ କରିଛନ୍ତି। ଏହି କୂଟନୀତିଜ୍ଞ ଜାଲିଆତି କରି ସରକାରଙ୍କଠାରୁ ଭିଏଟି ରିଫଣ୍ଡସ ନେଇଥିଲେ। ସିଭିସି ଅଧିକାରୀଙ୍କ ନେତୃତ୍ୱରେ ମନ୍ତ୍ରଣାଳୟର ଏକ ତଦନ୍ତକାରୀ ଟିମ୍‌ ଗତ ସେପ୍ଟେମ୍ବରରେ ସବୁ ବିଷୟର ଯାଞ୍ଚ ପାଇଁ ଭିଏନା ଗସ୍ତ କରିଥିଲା। ରେଣୁଙ୍କ ବିରୋଧରେ ଆସିଥିବା ଅଭିଯୋଗ ସତ ବୋଲି ତଦନ୍ତ ରିପୋର୍ଟରେ ଟିମ୍‌ ଉଲ୍ଲେଖ କରିଛି। ବହିର୍ବ୍ୟାପାର ମନ୍ତ୍ରଣାଳୟ ରେଣୁଙ୍କୁ ଗତ ୯ ତାରିଖରେ ମୁଖ୍ୟାଳୟକୁ ବଦଳି କରିଛି। ଏହାସହ ସେ ଜଣେ ରାଷ୍ଟ୍ରଦୂତ ଭାବେ କୌଣସି ପ୍ରକାର ପ୍ରଶାସନିକ କିମ୍ବା ଆର୍ଥିକ କ୍ଷମତା ପ୍ରୟୋଗ କରିପାରିବେ ନାହିଁ ବୋଲି କଟକଣା ଜାରି କରିଛି। ରେଣୁ ରବିବାର ସନ୍ଧ୍ୟାରେ ଭିଏନାରୁ ଭାରତକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି।

Share