ରାଶନ କାର୍ଡ ଜାଲିଆତି ଗୁମର ଫିଟିଲା: ଦେଢ଼ବର୍ଷ ଧରି ଉଠାଣ ହେଉଥିଲା ରାଶନ ସାମଗ୍ରୀ

ନୟାଗଡ଼ ଅଫିସ/ରଣପୁର,୧୯।୬(ସ୍ବ.ପ୍ର.): ରଣପୁର ବ୍ଲକ ନରସିଂହପୁର ପଞ୍ଚାୟତ କରଡାପଲ୍ଲୀର ବାଳାମଣୀ ପଲେଇ ଓ ନରସିଂହପୁରର ଝରଣା ସାହୁଙ୍କ ନାମରେ ଦୀର୍ଘ ଦେଢ଼ବର୍ଷ ହେଲା ଉଠାଣ ହେଉଥିଲା ରାଶନ ସାମଗ୍ରୀ। ଏପରି କି ଫନୀ ଓ କରୋନା ସହାୟତା ମଧ୍ୟ ହରିଲୁଟ ଚାଲିଥିଲା। ସେମାନଙ୍କ ନାଁରେ ରାଶନ କାର୍ଡ ମଞ୍ଜୁର ହୋଇଥିବା ଜାଣି ନ ପାରି ଦୁଇ ମହିଳା ବିଡିଓଙ୍କ କାର୍ଯ୍ୟାଳୟକୁ ଧାଉଁଥିଲେ। ବିଡିଓ ଏହାର ଯାଞ୍ଚ କରିବାରୁ ଏମାନଙ୍କ ନାଁରେ ରାଶନ ସାମଗ୍ରୀ ଉଠୁଥିବା ଜଣାପଡିଛି। ଶେଷରେ ବିଡିଓଙ୍କ ଯାଞ୍ଚ ନରସିଂହପୁର ପଞ୍ଚାୟତରେ ରାଶନ କାର୍ଡ ଜାଲିଆତିର ଗୁମର ଫିଟାଇଛି। ଏ ସମ୍ପର୍କରେ ୨ ମହିଳା ବିଡିଓ, ନୟାଗଡ଼ ଜିଲାପାଳ, ପିଡି ଡିଆରଡିଏ, ଜିଲା ଯୋଗାଣ ଅଧିକାରୀ, ଉପଜିଲାପାଳଙ୍କୁ ଅବଗତ କରାଇ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ବାଳାମଣୀ ପଲେଇ ଓ ଝରଣା ସାହୁଙ୍କ ଅଭିଯୋଗ ଅନୁସାରେ ଆମ ନାଁରେ ରାଶନ କାର୍ଡ ଅଛି ବୋଲି ଆମେ ଜାଣିନୁ। ଏଥିପାଇଁ ଆମକୁ ଆବେଦନ କରିବାକୁ କୁହାଯାଇଥିଲା। ବାରମ୍ବାର ଆବେଦନ ପରେ କାର୍ଡ ନ ମଳିବାରୁ ସରପଞ୍ଚ, ପଞ୍ଚାୟତ ନିର୍ବାହୀ ଅଧିକାରୀ, ବିଡିଓ, ଉପଜିଲାପାଳ, ଜିଲାପାଳଙ୍କୁ ଅଭିଯୋଗ କରିଛୁ । ହେଲେ ବେଶି ଅଭିଯୋଗ ବିଡିଓଙ୍କ ନିକଟରେ କରିଥିଲୁ। ବାରମ୍ବାର ବ୍ଳକ କାର୍ଯ୍ୟାଳୟକୁ ଆସୁଥିବାରୁ ବିଡିଓ ଯୋଗାଣ ଅଧିକାରୀଙ୍କୁ ଡକାଇ ଯାଞ୍ଚ କରାଇଥିଲେ। ଯାଞ୍ଚ ପରେ ଆମ ନାଁରେ ରାଶନ କାର୍ଡ ଥିବା ଜଣାପଡିଛି। ଝରଣାଙ୍କ କାର୍ଡ ନଂ.୨୪୦୮୨୫ ୧୧୫୮୯ ଓ ବାଳାମଣିଙ୍କ କାର୍ଡ ନଂ.୨୪୦୮୨୫୧୧୬୩୫। ରାଶନ କାର୍ଡ ଥିବାରୁ ନୂଆ କାର୍ଡ ମିଳିବନି। ଦେଢ଼ବର୍ଷ ହେଲା ରାଶନ ସାମଗ୍ରୀ ଉଠାଇ ପୁଣି ନୂଆ କାର୍ଡ ପାଇଁ ପ୍ରଶାସନକୁ ହଇରାଣ କରୁଥିବାରୁ ବିଡିଓ ଆମ ଉପରେ ବିରକ୍ତ ହୋଇଥିଲେ। ଯାହା ହେଉ ତାଙ୍କ ନିର୍ଦ୍ଦେଶରେ ଯାଞ୍ଚ ହେବାରୁ ଆମେ ଜାଲିଆତିର ସୂଚନା ପାଇଲୁ। ଏଥିରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ସରପଞ୍ଚ ମୁଖ୍ୟ ବୋଲି ଜାଣିବାକୁ ପାଇଛୁ। ପୁଣି ଏହି ଜାଲିଆତିରେ ଅନ୍ୟ କିଛି କର୍ମଚାରୀ ଓ ରାଜନେତା ସମ୍ପୃକ୍ତି ଥିବା ଜଣାପଡୁଛି। ଏହାର ତଦନ୍ତ ପାଇଁ ଆମେ ଜିଲା ପ୍ରଶସନ ଓ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଇଛୁ। ଆଶା ରଖିଛୁ ନିଶ୍ଚିତ ନ୍ୟାୟ ପାଇବୁ। ଆମ ନାଁରେ ଉଠିଥିବା ରାଶନ ସାମଗ୍ରୀ ଆମକୁ ଫେରାଇବା ବ୍ୟବସ୍ଥା କରାଯାଉ। ଏ ନେଇ ପଞ୍ଚାୟତ ନିର୍ବାହୀ ଅଧିତ୍କାରୀ ଓ ସରପଞ୍ଚଙ୍କୁ ଯୋଗାଯୋଗ କରିବାରୁ ସେମାନେ ଏଥିରେ ସମ୍ପୃକ୍ତ ନ ଥିବା କହିବା ସହ ଏହାର ତଦନ୍ତ କରାଗଲେ ସତ୍ୟତା ଜଣାପଡିବ ବୋଲି କହିଛନ୍ତି।