Posted inଜାତୀୟ

ରାତିରେ ପଲଟିଗଲା ବାଜି: ଫଡ୍‌ନବିସ ମୁଖ୍ୟମନ୍ତ୍ରୀ, ଅଜିତ ଉପମୁଖ୍ୟମନ୍ତ୍ରୀ

ମୁମ୍ବାଇ,୨୪ା୧୧: ହିସାବ ସରିଥିଲା… ଭାଗବଣ୍ଟା ଛିଣ୍ଡିଥିଲା ଶିବସେନା, ଏନ୍‌ସିପି ଓ କଂଗ୍ରେସ ମଧ୍ୟରେ। ରାତି ପାହିଲେ ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ ବିଧାୟକଙ୍କ ସମର୍ଥନପତ୍ର ଧରି ପହଞ୍ଚତ୍ଥାନ୍ତେ ରାଜ୍ୟପାଳଙ୍କ ନିକଟରେ। ଜଣାଇଥାନ୍ତେ ସରକାର ଗଠନ ପାଇଁ ଦାବି। ଉଦ୍ଧବ ମୁଖ୍ୟମନ୍ତ୍ରୀ ହେବେ ବୋଲି ତିନି ଦଳ ମଧ୍ୟରେ ପ୍ରକାଶ ପାଇଥିଲା ସହମତି। ହେଲେ ରାତିରେ ହିଁ ବଦଳିଯାଇଥିଲା ସମୀକରଣ, ପଲଟିଯାଇଥିଲା ବାଜି। ସକାଳେ ନିଦ ଭାଙ୍ଗିବା ପରେ ଦେଖିବାକୁ ମିଳିଲା ମହାରାଷ୍ଟ୍ରରୁ ହଟାଇ ଦିଆଯାଇଛି ରାଷ୍ଟ୍ରପତି ଶାସନ। ଭାଜପା ବିଧାୟକ ଦଳ ନେତା ଦେବେନ୍ଦ୍ର ଫଡ୍‌ନବିସ ପୁନର୍ବାର ହୋଇଛନ୍ତି ମୁଖ୍ୟମନ୍ତ୍ରୀ ଏବଂ ଏନ୍‌ସିପିର ଅଜିତ ପାଓ୍ବାରଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥପାଠ କରାଇଛନ୍ତି ରାଜ୍ୟପାଳ ଭଗତ ସିଂ କୋଶିୟାରୀ। ଅଜିତଙ୍କ ପକ୍ଷବଦଳକୁ ତିନି ଦଳ ବିଶ୍ୱାସଘାତ ବୋଲି ଅଭିହିତ କରି ରାଜ୍ୟପାଳଙ୍କ ଭୂମିକାକୁ ନେଇ ଉଠାଇଛନ୍ତି ପ୍ରଶ୍ନ। ଏହି ଅପ୍ରତ୍ୟାଶିତ ରାଜନୈତିକ ଘଟଣାକ୍ରମ କେବଳ ମହାରାଷ୍ଟ୍ର ନୁହେଁ ବରଂ ଜାତୀୟ ରାଜନୀତିରେ ଭରିଦେଇଛି ଅଭୂତପୂର୍ବ ଉଷ୍ମତା।

ମହାରାଷ୍ଟ୍ର ରାଜନୀତିର ଦୃଶ୍ୟପଟ ହଠାତ୍‌ ବଦଳିଯାଇଛି। ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ନେତା ଅଜିତ ପାଓ୍ବାରଙ୍କ ସମର୍ଥନରେ ଭାଜପା ସରକାର ଗଠନ କରିଛି। ଦେବେନ୍ଦ୍ର ଫଡ୍‌ନବିସ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ମହାରାଷ୍ଟ୍ରରେ ଏନ୍‌ସିପି ଏବଂ କଂଗ୍ରେସ ସମର୍ଥନରେ ଶିବସେନା ସରକାର ଗଢ଼ିବ ବୋଲି ଶୁକ୍ରବାର ତିନିଦଳର ବୈଠକ ବସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇଥିଲା। ଶିବସେନା ନେତା ଉଦ୍ଧବ ଠାକ୍‌ରେ ମୁଖ୍ୟମନ୍ତ୍ରୀ ହେବା ନେଇ ତିନିଦଳ ପକ୍ଷରୁ ଘୋଷଣା କରାଯାଇଥିଲା। ଶନିବାର ସେମାନେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ଲାଗି ଦାବି ଜଣାଇଥାନ୍ତେ। ତେବେ ହଠାତ୍‌ ରାତିଅଧରେ ସବୁକିଛି ବଦଳିଗଲା। ଶନିବାର ଭୋର ସମୟରେ ମହାରାଷ୍ଟ୍ରରୁ ରାଷ୍ଟ୍ରପତି ଶାସନ ଉଠାଇଦିଆଯାଇଥିଲା ଏବଂ ମୁଖ୍ୟମନ୍ତ୍ରୀ ଭାବେ ଫଡ୍‌ନବିସ ଓ ଉପମୁଖ୍ୟମନ୍ତ୍ରୀ ଭାବେ ଅଜିତ ପାଓ୍ବାର ଶପଥ ନେଲେ। ଏଭଳି ଘଟଣାକୁ ବିଶ୍ୱାସଘାତକତା ବୋଲି ଶିବସେନା ଓ କଂଗ୍ରେସ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ଶପଥ ନେବା ପରେ ଫଡ୍‌ନବିସ କହିଛନ୍ତି, ରାଜ୍ୟରେ ଖେଚୁଡି ଶାସନ ନୁହେଁ, ଏକ ସ୍ଥାୟୀ ସରକାର ଗଠନର ଆବଶ୍ୟକତା ଥିଲା। ମହାରାଷ୍ଟ୍ରବାସୀ ଭାଜପା ନେତୃତ୍ୱରେ ସରକାର ଗଠନ ଲାଗି ଜନାଦେଶ ଦେଇଥିଲେ। ଶିବସେନା ଏହାକୁ ଗ୍ରହଣ ନ କରି ଅନ୍ୟ ଦଳ ସହ ମିଶି ସରକାର ଗଢ଼ିବାକୁ ଉଦ୍ୟମ ଚଳାଇଥିବାବେଳେ ରାଜ୍ୟପାଳ ତାଙ୍କୁ ସରକାର ଗଢ଼ିବାକୁ ଆମନ୍ତ୍ରଣ କରିଥିଲେ ବୋଲି ସେ କହିଛନ୍ତି। ଏହା ସହ ସେ ସମର୍ଥନ ପାଇଁ ଅଜିତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ନଭେମ୍ବର ୩୦ ସୁଦ୍ଧା ଫଡ୍‌ନବିସଙ୍କୁ ଆସ୍ଥାଭୋଟର ସମ୍ମୁଖୀନ ହୋଇ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାକୁ ରାଜ୍ୟପାଳ ଭଗତ ସିଂ କୋଶିୟାରୀ ସମୟ ଦେଇଥିବା ଜଣାପଡିଛି।
ଅନ୍ୟପକ୍ଷରେ ଆସ୍ଥାଭୋଟରେ ଭାଜପା ନେତୃତ୍ୱାଧୀନ ସରକାରକୁ ପରାଜିତ କରି ପୁଣିଥରେ ଶିବସେନା-ଏନ୍‌ସିପି-କଂଗ୍ରେସ ମିଳିତ ସରକାର ଗଢ଼ାଯିବ ବୋଲି ତିନିଦଳ ପକ୍ଷରୁ ଏକ ଖବରଦାତା ସମ୍ମିଳନୀରେ କୁହାଯାଇଛି। ଏନ୍‌ସିପି ଅଧ୍ୟକ୍ଷ ଶରଦ ପାଓ୍ବାର କହିଛନ୍ତି, ତାଙ୍କ ପୁତୁରା ଅଜିତ ଭାଜପାକୁ ସମର୍ଥନ ଦେବା ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି। ଏହାସହିତ ଦଳ ଏକମତ ନୁହେଁ। ଅଜିତ ଭାଜପାକୁ ସମର୍ଥନ ଦେବା ସମ୍ପର୍କରେ ସେ ଜାଣି ନ ଥିଲେ ବୋଲି ଶରଦ ପାଓ୍ବାର ଉଦ୍ଧବଙ୍କୁ ଫୋନ୍‌ କରି କହିଛନ୍ତି। ଅଜିତ ପାଓ୍ବାରଙ୍କୁ ବ୍ଲାକମେଲ୍‌ କରାଯାଇଥିବା ଶିବସେନା ନେତା ସଞ୍ଜୟ ରାଉତ୍‌ ଅଭିଯୋଗ କରିଛନ୍ତି।
ଏକ ନାଟକୀୟ ଘଟଣାକ୍ରମରେ ସରକାର ଗଠନ ନେଇ ଭାଜପା ରାଜ୍ୟପାଳଙ୍କ ନିକଟରେ ଦାବି ଜଣାଇଥିଲା। ରାଜ୍ୟପାଳ ତରବରିଆ ଭାବେ ରାଷ୍ଟ୍ରପତି ଶାସନ ପ୍ରତ୍ୟାହାର ଲାଗି କେନ୍ଦ୍ରକୁ ସୁପାରିସ କରିଥିଲେ। ୫ଟା ୪୭ ମିନିଟରେ ମହାରାଷ୍ଟ୍ରରୁ ରାଷ୍ଟ୍ରପତି ଶାସନ ହଟାଇଦିଆଯାଇଥିଲା। ଏନେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସ୍ବାକ୍ଷରରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସକାଳ ୮ଟାରେ ଫଡ୍‌ନବିସ ଓ ଅଜିତ ପାଓ୍ବାର ଶପଥ ନେଇଥିଲେ। ଏହା ପୂର୍ବରୁ ରାଜ୍ୟପାଳ କୋଶିୟାରୀ ଶୁକ୍ରବାର ସନ୍ଧ୍ୟାରେ ତାଙ୍କର ତିନିଦିନିଆ ଦିଲ୍ଲୀ ଗସ୍ତକୁ ବାତିଲ କରିଦେଇଥିଲେ। ଶୁକ୍ରବାର ବିଳମ୍ବିତ ରାତିରେ ଶିବସେନା-ଏନ୍‌ସିପି-କଂଗ୍ରେସ ମେଣ୍ଟ ଉଦ୍ଧବ ଠାକ୍‌ରେଙ୍କୁ ମୁଖ୍ୟମନ୍ତ୍ରୀ ଘୋଷଣା କଲାବେଳେ ଅଜିତ ପାଓ୍ବାର ସେଠାରେ ଉପସ୍ଥିତ ଥିଲେ। ଅଜିତ୍‌ଙ୍କ ନିଷ୍ପତ୍ତି ସହ ଦଳ ନାହିଁ ବୋଲି ଶରଦ ପାଓ୍ବାର ଦାବି କରୁଥିବାବେଳେ ଦଳର ସବୁ ବିଧାୟକଙ୍କ ସମର୍ଥନପତ୍ର ରାଜ୍ୟପାଳଙ୍କୁ ଦିଆଯାଇଥିବା ସ୍ପଷ୍ଟ ହୋଇଛି।

ପୂର୍ବରୁ ଏନ୍‌ସିପି ଏହାର ବିଧାୟକମାନଙ୍କ ସମର୍ଥନପତ୍ର ସଂଗ୍ରହ କରିଥିବା କୁହାଯାଉଛି। ଆମେ ବୈଠକରେ ଯୋଗଦେବା ନେଇ ସ୍ବାକ୍ଷର କରିଥିଲୁ। ଶପଥ ଗ୍ରହଣ ପାଇଁ ଏହାର ଅପବ୍ୟବହାର କରାଯାଇଥିବା ଏନ୍‌ସିପି ମୁଖପାତ୍ର ନଓ୍ବାବ ମଲିକ କହିଛନ୍ତି। ଅଜିତ ପାଓ୍ବାର ପଛରୁ ଛୁରିକାଘାତ କଲେ ବୋଲି ଶିବସେନା ଅଭିଯୋଗ କରିଛି। ଅଜିତ ଯାହା କଲେ ସେଥିରେ ଶରଦ ପାଓ୍ବାରଙ୍କର କିଛି କରିବାର ନାହିଁ। ତେବେ ଅଜିତଙ୍କୁ ଛତ୍ରପତି ଶିବାଜୀ ଓ ମହାରାଷ୍ଟ୍ରବାସୀ କଦାପି କ୍ଷମା ଦେବେନାହିଁ ବୋଲି ଶିବସେନା ନେତା ସଞ୍ଜୟ ରାଉତ୍‌ କହିଛନ୍ତି। ଗତ ରାତିରେ ଅଜିତଙ୍କ ହାବଭାବ ସନ୍ଦେହଜନକ ଥିବା ସେ ଲକ୍ଷ୍ୟ କରିଥିଲେ ବୋଲି ଶିବସେନା ଏମ୍‌ପି କହିଛନ୍ତି। ଅନ୍ୟପକ୍ଷରେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଅଜିତ କହିଛନ୍ତି, ନିର୍ବାଚନ ଫଳାଫଳ ଘୋଷଣା ଦିନରୁ ଆଜି ପର୍ଯ୍ୟନ୍ତ କେହି ସରକାର ଗଠନ କରିବାକୁ ସମର୍ଥ ହେଲେନାହିଁ। ମହାରାଷ୍ଟ୍ର କୃଷକ ସମସ୍ୟାଠାରୁ ଆରମ୍ଭ କରି ଅନେକ ସମସ୍ୟାର ସମ୍ମୁଖୀନ। ସେଗୁଡ଼ିକର ସମାଧାନ ନିମନ୍ତେ ଏକ ସ୍ଥାୟୀ ସରକାର ଗଠନ ଲାଗି ଆମେ ନିଷ୍ପତ୍ତି ନେଲୁ ବୋଲି ଅଜିତ କହିଛନ୍ତି। କେନ୍ଦ୍ର ସରକାରରେ ଏନ୍‌ସିପି ସାମିଲ ହେବା ନେଇ ପରବର୍ତ୍ତୀ ପର୍ଯ୍ୟାୟରେ ନିଷ୍ପତ୍ତି ନିଆଯିବ ବୋଲି ଭାଜପା ସୂତ୍ରରୁ ଜଣାପଡିଛି। ଶପଥ ଗ୍ରହଣ ପରେ ଫଡ୍‌ନବିସ ଓ ଅଜିତ ପାଓ୍ବାରଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିନନ୍ଦନ ଜଣାଇଥିଲେ। ମହାରାଷ୍ଟ୍ରର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ସେମାନେ ନିଷ୍ଠାର ସହ କାର୍ଯ୍ୟ କରିବେ ବୋଲି ମୋଦି ଦୃଢ଼ୋକ୍ତି ପ୍ରକାଶ କରିଥିଲେ।
ସୂଚନାଯୋଗ୍ୟ ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଭାଜପା ୧୦୫ ଆସନରେ ବିଜୟୀ ହୋଇ ଏକକ ସଂଖ୍ୟାଗରିଷ୍ଠତା ହାସଲ କରିଥିବାବେଳେ ଏହା ସହ ଏକାଠି ଲଢ଼ିଥିବା ଶିବସେନାକୁ ୫୬ ଆସନ ମିଳିଥିଲା। ଏନ୍‌ସିପି ଓ କଂଗ୍ରେସ ଯଥାକ୍ରମେ ୫୪ ଓ ୪୪ ଆସନରେ ବିଜୟୀ ହୋଇଥିଲେ। ତେବେ ଫଳାଫଳ ଘୋଷଣା ହେବା ପରେ ଶିବସେନା ଅଢ଼େଇ ବର୍ଷ ମୁଖ୍ୟମନ୍ତ୍ରୀ ପଦ ୫୦:୫୦ ସୂତ୍ରରେ ମନ୍ତ୍ରୀପଦ ଦାବି କରିଥିଲା, ଯାହାକୁ ଭାଜପା ଅଗ୍ରାହ୍ୟ କରିଦେଇଥିଲା। କୌଣସି ଦଳ ସରକାର ଗଢ଼ିବାକୁ ସମର୍ଥ ନ ହେବାରୁ ରାଜ୍ୟପାଳଙ୍କ ସୁପାରିସ କ୍ରମେ ଗତ ୧୨ ତାରିଖରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ସୁଦାନରୁ ଫେରିଲେ ଆଦର୍ଶ; ‘ବଞ୍ଚିବି ବୋଲି ଭାବି ନଥିଲି, ଦିନେ ଖାଇଲେ ଦିନେ ଖାଉନଥିଲି’

ଭୁବନେଶ୍ୱର,୧୭।୧୨: ସୁଦାନରୁ ସୁରକ୍ଷିତ ଭାବେ ଫେରିବା ପରେ ନିଜ ଉପରେ ହୋଇଥିବା ଯନ୍ତ୍ରଣା ବଖାଣିଛନ୍ତି ଆଦର୍ଶ ବେହେରା। ସେ ସୁରକ୍ଷିତ ଫେରିଥିବାରୁ ଭାରତ ସରକାରଙ୍କୁ ଧନ୍ୟବାଦ...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri