Categories: ଜାତୀୟ

ରାଜ୍‌ଘାଟରେ ଧାରଣା ଦେବେ ସୋନିଆ

ନୂଆଦିଲ୍ଲୀ, ୨୨ା୧୨: ସିଏଏକୁ ବିରୋଧ କରି ଦେଶବ୍ୟାପୀ ବିକ୍ଷୋଭ ଜାରି ରହିଥିବାବେଳେ ସୋମବାର ରାଜ୍‌ଘାଟଠାରେ କଂଗ୍ରେସ ପକ୍ଷରୁ ସତ୍ୟାଗ୍ରହ କରାଯିବ। ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନେତୃତ୍ୱରେ ଲୋକଙ୍କ ଅଧିକାର ଓ ସମ୍ବିଧାନର ସୁରକ୍ଷା ଦାବିରେ ପ୍ରତିବାଦ କରାଯିବ ବୋଲି ଜଣାପଡ଼ିଛି। ଏଥିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଦଳର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଓ ଦଳର ଅନ୍ୟ ପ୍ରମୁଖ ନେତାମାନେ ଯୋଗଦେଇ ସୋମବାର ଅପରାହ୍ନ ୩ଟାରୁ ରାତି ୮ଟା ପର୍ଯ୍ୟନ୍ତ ରାଜ୍‌ଘାଟସ୍ଥିତ ମାହାତ୍ମାଙ୍କ ସମାଧିପୀଠଠାରେ ଧାରଣାରେ ବସିବେ। ସୋନିଆଙ୍କ ବାସଭବନରେ ଶନିବାର ଅନୁଷ୍ଠିତ ବୈଠକରେ ଦଳର ବରିଷ୍ଠ ନେତାମାନେ ଏକାଠି ହୋଇ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ଲାଗି ନିଷ୍ପତ୍ତି ନେଇଥିବା ଦଳର ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳ ପ୍ରକାଶ କରିଛନ୍ତି। କେନ୍ଦ୍ରର ଏକଛତ୍ରବାଦୀ ନିଷ୍ପତ୍ତି ବିରୋଧରେ ଦୃଢ଼ ସ୍ବର ଉତ୍ତୋଳନ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି। ଦେଶବ୍ୟାପି ଏନ୍‌ଆର୍‌ସି ଓ ସିଏଏକୁ ନେଇ ବିରୋଧ କରାଯାଉଥିବାବେଳେ ବିକ୍ଷୋଭକାରୀଙ୍କ ଉପରେ ପୋଲିସ ବର୍ବରତାକୁ ସେ ସମାଲୋଚନା କରିଛନ୍ତି।

Share