Categories: ବୌଦ୍ଧ

ରାଜ୍ୟ ବାହାରେ ଫସିଛନ୍ତି ୭ହଜାର ଶ୍ରମିକ: ଫେରାଇ ଆଣିବା ପାଇଁ ଦାବି

ବୌଦ୍ଧ,୧୯ା୫(ସ୍ବ.ପ୍ର.)- ବୌଦ୍ଧ ଜିଲାର ପ୍ରବାସୀ ଶ୍ରମିକଙ୍କୁ ଫେରାଇ ଆଣିବା ପାଇଁ ମଙ୍ଗଳବାର ଜିଲା ଭାଜପା ପକ୍ଷରୁ ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ା ଦାବିପତ୍ର ପ୍ରଦାନ ସମୟରେ ଜିଲା ଭାଜପା ସଭାପତି ବିପ୍ରଚରଣ ମହାନ୍ତି , ବରିଷ୍ଠ ଭାଜପା ନେତା ସୁର୍ଯ୍ୟ ନାରାୟଣ ମହାପାତ୍ର, ଅଞ୍ଜନ ସାହୁ, ସତ୍ୟାନନ୍ଦ ପାଣ୍ଡେ, ପ୍ରେମାନନ୍ଦ ମିଶ୍ର, ନାରାୟଣ କର୍ମୀ , ପ୍ରକାଶ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ା
କରୋନା ପାଇଁ ସାରା ଦେଶ ଲକ୍‌ଡାଉନ୍‌ରେ ଥିବା ବେଳେ ସମସ୍ତ ପ୍ରକାର କାର୍ଯ୍ୟ ଠପ୍‌ ହୋଇପଡିଛି ା ଫଳରେ ବହୁ ପ୍ରବାସୀ ଶ୍ରମିକ କାମ ହରାଇ ରାଜ୍ୟ ବାହାରେ ଭୋକ ଉପାସରେ ପଡି ରହିଛନ୍ତି ା ଗାଡି ଚଳାଚଳ ସୁବିଧା ନ ଥିବାରୁ ସେମାନେ ନିଜ ଗାଁକୁ ମଧ୍ୟ ଫେରି ପାରୁନାହାନ୍ତି ା ଏହାମଧ୍ୟରେ ଜିଲାକୁ କିଛି ପ୍ରବାସୀ ଶ୍ରମିକ ଫେରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଗୁଜରାଟ, ଚେନ୍ନାଇ, ଦିଲ୍ଳୀ, ବେଙ୍ଗାଲୁର, କୋଲକତା , ଆନ୍ଧ୍ରପ୍ରଦେଶ, କେରଳ,ଓ ତେଲଙ୍ଗନା ଆଦି ରାଜ୍ୟରେ ପ୍ରାୟ ୭ ହଜାରରୁ ଊର୍ଦ୍ଧ୍ୱ ଶ୍ରମିକ ଅଟକି ରହିଛନ୍ତି ା ଏହି ଶ୍ରମିକମାନଙ୍କୁ ଫେରାଇ ଆଣିବାର ବ୍ୟବସ୍ଥା କରିବାକୁ ଜିଲା ଭାଜପା ପକ୍ଷରୁ ଜିଲାପାଳଙ୍କ ନିକଟରେ ଦାବି କରାଯାଇଛି ା