ରାଜ୍ୟସ୍ତରରେ ପୁରସ୍କୃତ ହେବ ଢେଙ୍କାନାଳ

ଢେଙ୍କାନାଳ ଅଫିସ, ୫।୩-ସମନ୍ବିତ ଶିଶୁ ବିକାଶ ଯୋଜନା (ଆଇସିଡିଏସ୍‌) ଏବଂ ମମତା ଯୋଜନା କାର୍ଯ୍ୟାନ୍ବୟନରେ ସଫଳତା ପାଇଁ ରାଜ୍ୟସ୍ତରରେ ପୁରସ୍କୃତ ହେବ ଢେଙ୍କାନାଳ ଜିଲା। ମାର୍ଚ୍ଚ ୮ ଅନ୍ତର୍ଜାତୀୟ ମହିଳା ଦିବସରେ ଭୁବନେଶ୍ୱର ଲୋକସେବା ଭବନର କନ୍‌ଭେନ୍‌ସନ ହଲ୍‌ରେ ଆୟୋଜିତ ସମାରୋହରେ ଏହି ପୁରସ୍କାର ପ୍ରଦାନ କରାଯିବ। ଏ ନେଇ ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଏବଂ ମିଶନ ଶକ୍ତି ବିଭାଗ ପକ୍ଷରୁ ବୁଧବାର ପତ୍ର ସଂଖ୍ୟା ୪୧/୬୩ ମାଧ୍ୟମରେ ଜିଲାପାଳଙ୍କୁ ଅବଗତ କରାଯାଇଛି। ଜିଲା ପ୍ରଶାସନ ପକ୍ଷରୁ ସମାଜ କଲ୍ୟାଣ ଅଧିକାରୀ ଏହି ପୁରସ୍କାର ଗ୍ରହଣ କରିବେ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି। ଏ ନେଇ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା କୁହନ୍ତି, ଦଳଗତ ଉଦ୍ୟମରୁ ଜିଲାକୁ ଏହି ସଫଳତା ମିଳିଛି। ଏହି ପୁରସ୍କାର ଆଗାମୀ ଦିନରେ କାର୍ଯ୍ୟ କରିବାକୁ ପ୍ରୋତ୍ସାହିତ କରିବ ବୋଲି ସେ ସୂଚନା ଦେଇଛନ୍ତି।