CORONAVIRUS UPDATE: ରାଜ୍ୟର ନୂଆ କରୋନା ପଜିଟିଭ୍‌ ରାଉରକେଲାର ଜଣେ ମହିଳା; ସୁନ୍ଦରଗଡ଼ରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଛୁଇଁଲା

ଭୁବନେଶ୍ୱର,୪ା୫(ବ୍ୟୁରୋ): ସୋମବାର ସକାଳେ ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଜଣକ ରାଉରକେଲା ନାଲା ରୋଡ୍‌ର ଜଣେ ୨୯ ବର୍ଷୀୟା ମହିଳା ବୋଲି ରାଜ୍ୟ ସ୍ବାସ୍ଥ୍ୟ  ଓ ପରିବାର କଲ୍ୟାଣ ବିଭାଗ ସୂଚନାରୁ ଜଣାପଡ଼ିଛି। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬୩ରେ ପହଞ୍ଚିଥିବା ବେଳେ ସୁନ୍ଦରଗଡ଼ ଜିଲାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୧ରେ ପହଞ୍ଚିଛି।

ସୂଚନାଯୋଗ୍ୟ, ଗତ ଏପ୍ରିଲ ୧୨ ତାରିଖରେ ରାଉରକେଲା ବିଶ୍ରା ଆସିଆନା କଲୋନୀରୁ ଦୁଇ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଏମାନଙ୍କ ମଧ୍ୟରେ ଜଣେ ୨୩ ବର୍ଷୀୟ ଯୁବକ ଏବଂ ୬୭ ବର୍ଷର ବୃଦ୍ଧ ଥିଲେ। ପରେ ବିଶ୍ରା ଅଞ୍ଚଳରୁ ଆଉ ଜଣେ ୪୦ ବର୍ଷୀୟ ବ୍ୟକ୍ତି କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଏପ୍ରିଲ୍‌ ୨୫ରେ ସମସ୍ତ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିବା ପରେ ସୁନ୍ଦରଗଡ଼ ଜିଲା ସମ୍ପୂର୍ଣ୍ଣ କରୋନା ମୁକ୍ତ ହୋଇଥିଲା। କିନ୍ତୁ ଏପ୍ରିଲ ୨୬ରେ ଆଉ ୩ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ୨ ଆକ୍ରାନ୍ତ ବିଶ୍ରାର ଗୁଡ଼ଗୁଡ଼ଜୋରର ହୋଇଥିବା ବେଳେ ଆଉ ଜଣେ ନାଲା ରୋଡ୍‌ର ଥିଲେ। ଉଭୟେ ୩ ନଂ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ। ଏପ୍ରିଲ ୨୮ରେ ନାଲାରୋଡ୍‌ରୁ ଆଉ ୪ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ସମସ୍ତଙ୍କ ଘର କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ରେ ହୋଇଥିବା ବେଳେ ୬ନଂ. ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ। ଏମାନଙ୍କ ମଧ୍ୟରେ ୨ ଜଣ ପୁରୁଷଙ୍କ ବୟସ ଯଥାକ୍ରମେ ୨୭, ୩୮ ଏବଂ ମହିଳାଙ୍କ ବୟସ ୩୫ ଓ ୫୫। ସମସ୍ତ ଆକ୍ରାନ୍ତ ରାଉରକେଲା କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।