ରାଜ୍ୟ ବାହାରର ବସ୍‌କୁ ଦେଖି ଲୋକେ ଆତଙ୍କିତ

ସମ୍ବଲପୁର,୨ା୫(ବ୍ୟୁରୋ)-ରାଜ୍ୟ ବାହାରର ୩ଟି ବସ୍‌ ଶନିବାର ସମ୍ବଲପୁର ସହର ଭିତରକୁ ପ୍ରବେଶ କରିବାରୁ ସହରବାସୀ ଆତଙ୍କିତ ହୋଇ ପଡ଼ିଛନ୍ତି। ଧନୁପାଲି ଥାନା ଅଧୀନ ଜେଲ୍‌ ଛକରେ ଥିବା ଫଳ ଦୋକାନରୁ ଏମାନେ କିଛି ଫଳ କିଣିଥିଲେ। ଏହି ସମୟରେ କିନ୍ତୁ ସାମାଜିକ ଦୂରତା ପାଳନ କରି ନ ଥିଲେ। ସ୍ଥାନୀୟ ଲୋକେ ଖବର ଦେବାରୁ ପୋଲିସ ପହଞ୍ଚି ପରିସ୍ଥିତି ଆୟତ୍ତ କରିଥିଲା। ପ୍ରଥମ ବସ୍‌ଟି ଯାତ୍ରୀମାନଙ୍କୁ ନେଇ ଚାଲି ଯାଇଥିଲା । ତେବେ ଘଟଣା ସମ୍ପର୍କରେ ଖବର ପାଇ ଏସ୍‌ପି କନୱର ବିଶାଳ ସିଂ, ସଦର ଏସ୍‌ଡିପିଓ ତପନ କୁମାର ମହାନ୍ତି, ଧନୁପାଲି ଥାନା ଅଧିକାରୀ କମଳଳୋଚନ ପଣ୍ଡା ପହଞ୍ଚି ଥିଲେ । ଏସ୍‌ପି ସିଂଙ୍କ ନିର୍ଦ୍ଦେଶ କ୍ରମେ ବସ୍‌ଟିକୁ ସଦର ଥାନା ପୋଲିସ ସିନ୍ଦୂରପଙ୍କ ନିକଟରେ ଅଟକ ରଖି କାଗଜପତ୍ର ଯାଞ୍ଚ କରିଥିଲା। ପରେ ଆଉ ୨ଟି ବସ୍‌ ଆସୁଥିବା ନେଇ ପୋଲିସ ଜାଣିବାକୁ ପାଇଥିଲା । ଜେଲ୍‌ ଛକ ନିକଟରେ ଏସ୍‌ପି ସିଂ ଓ ପୋଲିସ ଫୋର୍ସ ଜଗି ରହିଥିଲେ। କିଛି ସମୟ ପରେ ଆଉ ୨ଟି ବସ୍‌ ଜେଲ୍‌ ଛକରେ ପହଞ୍ଚିଥିଲା। ସେଠାରେ ବସ୍‌ର କାଗଜପତ୍ର ଯାଞ୍ଚ କରାଯାଇଥିଲା। ଗୁଜୁରାଟ ସୁରଟରୁ ୩ଟି ବସ୍‌ରେ ଗଞ୍ଜାମ ଜିଲାକୁ ଶ୍ରମିକମାନେ ଫେରୁଥିବା ଜଣାପଡିଥିଲା। ବସଗୁଡିକୁ ସାନିଟାଇଜ କରି ଛାଡି ଦିଆଯାଇଥିଲା । ସହର ଭିତରେ ନ ଯାଇ ବାହାରେ ନେବାକୁ ଚାଳକଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ପୋଲିସ ସୁରକ୍ଷା ବଳୟରେ ବସକୁ ସହର ବାହାରକୁ ଛଡା ଯାଇଥିଲା । ଫଳ ଦୋକାନ ସହ ଜେଲ ଛକରେ ଥିବା ସମସ୍ତ ଦୋକାନକୁ ଅଗ୍ନିଶମ ବିଭାଗ ପକ୍ଷରୁ ସାନିଟାଇଜ କରାଯାଇଥିଲା। ଫଳ ଦୋକାନୀ ଓ କାମ କରୁଥିବା କର୍ମଚାରୀଙ୍କୁ ୧୪ ଦିନ ପାଇଁ ହୋମ୍‌ କ୍ୱାରାଣ୍ଟାଇନରେ ରହିବାକୁ ପୋଲିସ ନିର୍ଦ୍ଦେଶ ଦେଇଛି। ଏହି ଘଟଣା ପ୍ରଚାର ହେବା ପରେ ପୋଲିସର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି। ଲକ୍‌ ଡାଉନ କଟକଣା ଥିବା ସମୟରେ ବସ୍‌ ସହର ଭିତରକୁ କିଭଳି ପ୍ରବେଶ କରିଥିଲା ବୋଲି ଅଭିଯୋଗ ଉଠିଛି।