Categories: ଜାତୀୟ

ରାଜ୍ୟପାଳଙ୍କୁ ଭେଟିଲେ ହେମନ୍ତ: ୨୯ରେ ନେବେ ଶପଥ

ରାଞ୍ଚି,୨୫ା୧୨(ପି.ଟି.): ସଦ୍ୟ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ପରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌) କାର୍ଯ୍ୟକାରୀ ଅଧ୍ୟକ୍ଷ ହେମନ୍ତ ସୋରେନ ମଙ୍ଗଳବାର ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଜଣାଇଛନ୍ତି। ସେ ଆସନ୍ତା ୨୯ ତାରିଖ ଅପରାହ୍ନ ୧ଟାରେ ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥଗ୍ରହଣ କରିବେ।
ହେମନ୍ତ ଦେଇଥିବା ସମର୍ଥନ ପତ୍ରରେ ୫୦ ବିଧାୟକଙ୍କ ନାମ ରହିଛି। ଜେଏମ୍‌ଏମ୍‌ ସହ କଂଗ୍ରେସ, ଆର୍‌ଜେଡି ଏବଂ ଜେଭିଏମ୍‌ ବିଧାୟକମାନେ ମଧ୍ୟ ମେଣ୍ଟ ସରକାରରେ ରହିବେ। ଏହା ପୂର୍ବରୁ ରାଞ୍ଚତ୍ସ୍ଥିତ ଜେଏମ୍‌ଏମ୍‌ ମୁଖ୍ୟାଳୟରେ ବିଧାୟକ ଦଳ ବୈଠକ ହୋଇଥିଲା। ଏଥିରେ ହେମନ୍ତଙ୍କୁ ଆନୁଷ୍ଠାନିକ ଭାବେ ଜେଏମ୍‌ଏମ୍‌ ବିଧାୟକ ଦଳ ନେତା ବଛାଯାଇଥିଲା। ସେହିପରି ଜେଭିଏମ୍‌ ଅଧ୍ୟକ୍ଷ ବାବୁଲାଲ ମାର୍ଣ୍ଡି ମଧ୍ୟ ହେମନ୍ତଙ୍କୁ ସରକାର ଗଠନ ଲାଗି ନିସର୍ତ୍ତ ସମର୍ଥନ ଦେଇଛନ୍ତି। ସଦ୍ୟ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଜେଭିଏମ୍‌କୁ ୩ ଆସନରେ ସଫଳତା ମିଳିଛି। ଜେଏମ୍‌ଏମ୍‌ ନେତୃତ୍ୱାଧୀନ ମେଣ୍ଟ ୪୭ ଆସନରେ ବିଜୟୀ ହୋଇଛି। ସେଥିରୁ ଜେଏମ୍‌ଏମ୍‌ ୩୦, କଂଗ୍ରେସ ୧୬ ଏବଂ ଆର୍‌ଜେଡି ଗୋଟିଏ ଆସନ ଜିତିଛନ୍ତି। ଅନ୍ୟପକ୍ଷରେ ଭାଜପାକୁ ମାତ୍ର ୨୫ ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ରାଜଭବନରେ ରାଜ୍ୟପାଳଙ୍କୁ ସାକ୍ଷାତ ବେଳେ ଜେଏମ୍‌ଏମ୍‌ ଅଧ୍ୟକ୍ଷ ଶିବୁ ସୋରେନ, ଏଆଇସିସି ରାଜ୍ୟ ପ୍ରଭାରୀ ଆରପିଏନ୍‌ ସିଂ ଏବଂ ଆର୍‌ଜେଡି ନେତା ତେଜସ୍ବୀ ଯାଦବଙ୍କ ସମେତ ଅନ୍ୟ ନେତାମାନେ ଉପସ୍ଥିତ ଥିଲେ।

Share