Categories: ବାଣିଜ୍ୟ

ରାଜ୍ୟଗୁଡିକ ଲାଗି ଓଭରଡ୍ରାଫ୍ଟ ସମୟ ଅବଧି ବଢିଲା

ନୂଆଦିଲ୍ଲୀ,୮।୪: ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ପକ୍ଷରୁ ରାଜ୍ୟଗୁଡିକ ଲାଗି ଏକ ସ୍ବତନ୍ତ୍ର ପଦକ୍ଷେପ ଘୋଷଣା କରାଯାଇଛି। ବର୍ତ୍ତମାନର ଲକ୍‌ଡାଉନକୁ ନଜରରେ ରଖି ରାଜ୍ୟଗୁଡିକ ଲାଗି ଓଭରଡ୍ରାଫ୍ଟ ସୁବିଧାକୁ ୨୧ ଦିନକୁ ବଢାଯାଇଛି। ଏହା ଦ୍ୱାରା ରାଜ୍ୟଗୁଡିକୁ ଆଶ୍ୱସ୍ତି ମିଳିଛି। ଏହି ସୁବିଧା ୧୪ ଦିନ ପର୍ଯ୍ୟନ୍ତ ଉପଲବ୍ଧ ହେଉଥିଲା। ଏହାବାଦ ଗୋଟିଏ ତ୍ରୈମାସରେ ମିଳୁଥିବା ଓଭର ଡ୍ରାଫ୍ଟ ସୁବିଧାକୁ ମଧ୍ୟ ବଢାଯାଇଛି। ଏବେ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକ ଗୋଟିଏ ତ୍ରୈମାସ ଲାଗି ୫୦ ଦିନ ପର୍ଯ୍ୟନ୍ତ ଓଭରଡ୍ରାଫ୍ଟ ସୁବିଧା ନେଇ ପାରିବେ। ଏହି ସୀମା ୩୬ ଦିନ ପର୍ଯ୍ୟନ୍ତ ରହିଥିଲା। ଆଗାମୀ ୩୦ ସେପ୍ଟେମ୍ବର ଯାଏ ଏହି ନିୟମ ବଳବତ୍ତର ରହିବ।
କରୋନା ପାଇଁ ଦେଶର ଅଧିକାଂଶ ରାଜ୍ୟ ଏବେ ରାଜସ୍ବ କ୍ଷତି ସାମ୍ନା କରୁଛନ୍ତି। ବଜେଟରେ ଧାର୍ଯ୍ୟ ରାଜସ୍ବ ଲକ୍ଷ୍ୟ ମୁତାବକ ରାଜ୍ୟଗୁଡିକ ରାଜସ୍ବ ସଂଗ୍ରହ କରିବାକୁ ସକ୍ଷମ ହୋଇପାରି ନାହାନ୍ତି। ଲକ୍‌ଡାଉନ ପାଇଁ ଆର୍ଥତ୍କ କାର୍ଯ୍ୟକଳାପ ଠପ୍‌ ହୋଇ ଯାଇଛି। ଏହି କାରଣ ଯୋଗୁ ସରକାରଙ୍କୁ ରାଜସ୍ବ ଠିକ୍‌ ଭାବେ ମିଳୁନାହିଁ। ଏବେ କରୋନା ନିୟନ୍ତ୍ରଣରେ ଆସୁ ନ ଥିବା ଯୋଗୁ ଲକ୍‌ଡାଉନ ଅବଧି ବଢିପାରେ ବୋଲି ଶୁଣାଯାଉଛି।

Share