Categories: ବାଣିଜ୍ୟ

ରାଜ୍ୟଗୁଡ଼ିକର ବିତ୍ତୀୟ ନିଅଣ୍ଟ ୪.୫% ଛୁଇଁପାରେ

ନୂଆଦିଲ୍ଲୀ,୨୭।୫: କରୋନା ମହାମାରୀ ଦେଶର ଅର୍ଥ ବ୍ୟବସ୍ଥା ଉପରେ ଗଭୀର ପ୍ରଭାବ ପକାଇଛି। ଏଥିଯୋଗୁ ୨୦୨୦-୨୧ରେ ରାଜ୍ୟଗୁଡିକର ବିତ୍ତୀୟ ନିଅଣ୍ଟ ଆକଳନଠାରୁ ବଢ଼ିଯିବ ବୋଲି ଆଶଙ୍କା କରାଯାଇଛି। ଇଣ୍ଡିଆ ରେଟିଂସ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ, ରାଜ୍ୟଗୁଡିକର ରାଜସ୍ବ କ୍ଷତି ମୋଟ ଜିଡିପିର ପ୍ରାୟ ୨.୮% ଛୁଇଁବ। ରାଜ୍ୟଗୁଡିକର ମିଳିତ ବିତ୍ତୀୟ ନିଅଣ୍ଟ ମୋଟ ଜିଡିପିର ୪.୫% ବା ୮.୫ ଲକ୍ଷ କୋଟି ଟଙ୍କା ରହିବ। ଗତ ୯ ସପ୍ତାହ ଧରି ଜାରି ରହିଥିବା ଲକ୍‌ଡାଉନ ଲାଗି ଅର୍ଥ ବ୍ୟବସ୍ଥାର ଗତି ଠପ୍‌ ହୋଇଯାଇଛି। ଏହି ସମୟରେ ରାଜ୍ୟଗୁଡିକ ଅଧିକ ଋଣ ଉଠାଇ ପାରିବେ ବୋଲି କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିଛନ୍ତି। ଏହି ସୀମାକୁ ୩ରୁ ୫%କୁ ବଢ଼ାଯାଇଛି। କେନ୍ଦ୍ର ସରକାର ମଧ୍ୟ ୪.୨ ଲକ୍ଷ କୋଟି ଟଙ୍କାର ଅଧିକ ଋଣ କରିବେ। ରାଜ୍ୟ ଜିଡିପିର ୫% ଋଣ କରିବା ଲାଗି ପ୍ରାୟ ସବୁ ରାଜ୍ୟ ସକ୍ଷମ ହେବେ ନାହିଁ। ଆର୍ଥତ୍କ ସୁଧାର କ୍ଷେତ୍ରରେ କିଛି ସର୍ତ୍ତ ରାଜ୍ୟଗୁଡିକୁ ପୂରଣ କରିବାକୁ ପଡୁଥିବାରୁ ଏହା ରାଜ୍ୟଗୁଡିକୁ ଋଣ କରିବା କ୍ଷେତ୍ରରେ ବାଧକ ହେବ। ଗତ ୨ ବର୍ଷ ହେବ ଅର୍ଥ ବ୍ୟବସ୍ଥା ମାନ୍ଦାବସ୍ଥା ସ୍ଥିତି ଦେଇ ଗତି କରୁଛି। ଅର୍ଥ ବ୍ୟବସ୍ଥାର ୮୦%ରୁ ଅଧିକ ଅଂଶ ସମ୍ପୂର୍ଣ୍ଣ ଭାବେ ଠପ୍‌ ହୋଇ ଯାଇଛି।

Share