Categories: ଜାତୀୟ

‘ରାଜନୈତିକ ପ୍ରଭାବରୁ ଦୂରେଇ ରହୁ ନ୍ୟାୟପାଳିକା’

ନୂଆଦିଲ୍ଲୀ,୨୦ା୬(ପି.ଟି.): ସ୍ବାଧୀନତା ନ୍ୟାୟପାଳିକାର ଆତ୍ମା। ବିଚାର ବ୍ୟବସ୍ଥା ଜନତାଙ୍କ ଆସ୍ଥା ଜୁଟାଇବାରେ ବିଫଳ ହେଲେ କଦାପି ନ୍ୟାୟ ସ୍ଥାପନ କରିପାରିବ ନାହିଁ ବୋଲି ଭାରତର ପ୍ରଧାନ ବିଚାରପତି (ସିଜେଆଇ) ରଞ୍ଜନ ଗୋଗୋଇ କହିଛନ୍ତି। ଲୋକଙ୍କୁ ପ୍ରଲୋଭିତ କରୁଥିବା ତତ୍ତ୍ୱଙ୍କ ବିରୋଧରେ ନ୍ୟାୟପାଳିକା ଛିଡ଼ାହେବା ସହ ସାମ୍ବିଧାନିକ ପବିତ୍ରତା ରକ୍ଷାକରିବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି। ରୁଷିଆର ସୋଚିଠାରେ ସାଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ)ରେ ପ୍ରଧାନ ବିଚାରପତିମାନଙ୍କ ସମ୍ମିଳନୀକୁ ଉଦ୍‌ବୋଧନ ଦେଇ ଜଷ୍ଟିସ ଗୋଗୋଇ କହିଛନ୍ତି, ନ୍ୟାୟପାଳିକା ସ୍ବାଧୀନତା ଉପରେ ହେଉଥିବା ଉପରୋକ୍ତ ତତ୍ତ୍ୱଙ୍କ ଆକ୍ରମଣରୁ ସୁରକ୍ଷା ପାଇଁ ପ୍ରସ୍ତୁତ ରହିବା ସହ ନିଜକୁ ସୁଦୃଢ଼ କରିବା ଆବଶ୍ୟକ। ରାଷ୍ଟ୍ର ଯାତ୍ରାର କେତେକ ସୋପାନରେ ବ୍ୟବସ୍ଥାପିକା ଓ କାର୍ଯ୍ୟପାଳିକା ଜନବାଦୀ ଲହର ପ୍ରଭାବରେ ସେମାନଙ୍କ ସାମ୍ବିଧାନିକ କର୍ତ୍ତବ୍ୟ ଓ ଲକ୍ଷ୍ୟଠାରୁ ଦୂରେଇ ଯାଉଛନ୍ତି। ସେତେବେଳେ ନ୍ୟାୟପାଳିକାକୁ ଜାଗ୍ରତ ହୋଇ ସମ୍ବିଧାନର ସୁରକ୍ଷା ଲାଗି ଉକ୍ତ ଶକ୍ତି ବିରୋଧରେ ଛିଡାହେବାକୁ ପଡିବ । ବିଚାରପତିମାନଙ୍କ ନିଯୁକ୍ତି ରାଜନୈତିକ ପ୍ରଭାବଠାରୁ ଦୂରେଇ ରହିବା ଉଚିତ ବୋଲି ସେ ଯୁକ୍ତି ବାଢ଼ିଛନ୍ତି।

Share